ନୂଆଦିଲ୍ଲୀ: ଖେଳ ରତ୍ନ ପୁରସ୍କାର ପାଇଁ ଅଲମ୍ପିକ୍ ଯୁଗଳ ପଦକ ବିଜେତା ସୁଟର ମନୁ ଭାକରକୁ ବାଦ ଦେବାକୁ ନେଇ ଦେଶର ଅନେକ ଆଲୋଚନା ସମାଲୋଚନା ଜାରି ରହିଛି । ତାଙ୍କ ବାପା ମଧ୍ୟ ନିଜର କ୍ଷୋଭ ପ୍ରକାଶ କରିଛନ୍ତି । ସେ ବି ମଧ୍ୟ କହିଛନ୍ତି, ମୋ ଝିଅକୁ ସୁଟର୍ ନୁହେଁ କ୍ରିକେଟର ହେବାର ଥିଲା । ଏହାରି ମଧ୍ୟରେ ମନୁ ଭାକର ମୁହଁ ଖୋଲିଛନ୍ତି । ସେ ଏକ ବଡ଼ ବୟାନ ଦେଇ ଦେଶ ପ୍ରତି ନିଜର ଭକ୍ତି ଓ ଭଲ ପାଇବାକୁ ଦର୍ଶାଇଛନ୍ତି ।
ପ୍ୟାରିସ ଅଲମ୍ପିକ ଡବଲ ମେଡାଲ ବିଜେତା ମନୁ ଭାକର ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ କହିଛନ୍ତି, ମୋ ପାଇଁ କୌଣସି ବି ପୁରସ୍କାର ଠାରୁ ଦେଶ ପାଇଁ ପଦକ ଜିତିବା ପ୍ରଥମ ଲକ୍ଷ୍ୟ ଅଟେ । ପୁରସ୍କାର କେବଳ ଉତ୍ସାହିତ କରିବା ପାଇଁ ଦିଆଯାଇଥାଏ, କିନ୍ତୁ ଗୋଲ୍ ନୁହେଁ । ଏକ ଖେଳାଳୀ ହିସାବରେ ମୋର ଭୂମିକା ହେଉଛି ନିଜ ଦେଶ ପାଇଁ ଖେଳିବା ଏବଂ ପ୍ରଦର୍ଶନ କରିବା । ସେ ଆହୁରି ମଧ୍ୟ କହିଛନ୍ତି, ପୁରସ୍କାର ଯେମିତି ବି ହେଉ ମୁଁ ଦେଶ ପାଇଁ ଅଧିକ ଜିତିବା ପାଇଁ ସର୍ବଦା ପ୍ରେରିତ ହେଉଛି ।
ଖେଳ ରତ୍ନ ପାଇଁ ଆବେଦନ କିଛି ନିହାତି ମୋ ପକ୍ଷରୁ ତ୍ରୁଟି ରହିଥିବା, ଯାହାକୁ ସଂଶୋଧନ କରାଯିବ । ତେଣୁ ଆଲୋଚନା ଉପରେ ରୋକ୍ ଲଗାଇବାକୁ ସେ ଅନୁରୋଧ କରିଛନ୍ତି ।
ନିଜ ଝିଅକୁ ଖେଳ ରତ୍ନ ପୁରସ୍କାର ପାଇଁ ଚୟନ ନ କରାଯିବାକୁ ନେଇ ପିତା ରାମ କିଶନ ନିଜର କ୍ଷୋଭ ପ୍ରକାଶ କରିଛନ୍ତି । କହିଛନ୍ତି, ଯଦି ପୁରସ୍କାର ପାଇଁ ଭିକ ମାଗିବାକୁ ପଡ଼ୁଛି ତେବେ ଅଲମ୍ପିକ୍ ଜିତି ଲାଭ କଣ ବୋଲି ସେ ପ୍ରଶ୍ନ କରିଛନ୍ତି । ସେ ସିଧାସଳକ ସରକାରୀ ଅଧିକାରୀଙ୍କ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ଜଣେ ସରକାରୀ ଅଧିକାରୀ ସମସ୍ତ ନିର୍ଣ୍ଣୟ ନେଉଛନ୍ତି ଏବଂ କମିଟି ସଦସ୍ୟମାନେ ଚୁପ୍ ବସିଛନ୍ତି, ନିଜ ରାୟ ଦେଉ ନାହାଁନ୍ତି । କଣ ଆପଣ ଏମିତି ଖେଳାଳୀଙ୍କୁ ପ୍ରୋତ୍ସାହିତ କରୁଛ ବୋଲି ସେ ପ୍ରଶ୍ନ କରିଛନ୍ତି । ଆମେ ପୁରସ୍କାର ପାଇଁ ଆବେଦନ କରିଥିଲୁ ମାତ୍ର କମିଟି ତରଫରୁ କୌଣସି ଜବାବ ମିଳିଲା ନାହିଁ ।
ଅନ୍ୟପକ୍ଷରେ ମନୁଙ୍କ ନାମ ଖେଳ ରତ୍ନ ପାଇଁ ସୁପାରିଶ କରିବାକୁ କ୍ରୀଡା ମନ୍ତ୍ରଣାଳୟକୁ ଅନୁରୋଧ କରିଛନ୍ତି ଭାରତୀୟ ରାଇଫଲ ସଙ୍ଘ ସଭାପତି କଳିକେଶ ନାରାୟଣ ସିଂ ଦେଓ । ଚଳିତବର୍ଷ ଖେଳ ରତ୍ନ ପାଇଁ ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ହରମନପ୍ରୀତ ସିଂ ଏବଂ ପାରା ହାଇଜମ୍ପର ପ୍ରବୀଣ କୁମାରଙ୍କ ନାମ ସୁପାରିଶ ହୋଇଛି । ଉଭୟେ ଚଳିତ ବର୍ଷ ଅଲମ୍ପିକ ଏବଂ ପାରା ଅଲମ୍ପିକରେ ମେଡାଲ ଜିତିଛନ୍ତି ।
ପ୍ୟାରିସ ଅଲମ୍ପିକରେ 10 ମିଟର ଏୟାର ପିସ୍ତଲର ବ୍ୟକ୍ତିଗତ ଇଭେଣ୍ଟରେ ବ୍ରୋଞ୍ଜ ଏବଂ 10 ମିଟର ମିକ୍ସଡ଼ ଦଳଗତ ବିଭାଗରେ ବ୍ରୋଞ୍ଜ ଜିତିଥିଲେ ।