ନୂଆଦିଲ୍ଲୀ: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫କୁ ନେଇ ସବୁ କିଛି ଚୂଡାନ୍ତ ହୋଇ ସାରିଛି । ପାକିସ୍ତାନ କ୍ରିକେଟ୍ ବୋର୍ଡ ଏହି ଟୁର୍ଣ୍ଣାମେଣ୍ଟକୁ ହାଇବ୍ରିଡ ମଡେଲ ଆଧାରରେ ଆୟୋଜନ କରିବାକୁ ପ୍ରସ୍ତୁତ । ଏପରିକି ଭାରତ ନିଜର ମ୍ୟାଚ୍ କେଉଁଠି ଖେଳିବ ତାହା ମଧ୍ୟ ସ୍ଥିର ହୋଇ ସାରିଛି । ତେବେ ପିସିବି ଓ ଆଇସିସି ପକ୍ଷରୁ ଏ ନେଇ ଆନୁଷ୍ଠାନିକ ଘୋଷଣା ହେବା ବାକି ରହିଛି । ଫେବୃଆରୀ ଓ ମାର୍ଚ୍ଚରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବାକୁ ଥିବା ବେଳେ ଏ ପର୍ଯ୍ୟନ୍ତ କ୍ରୀଡାସୂଚୀ ଘୋଷଣା ହୋଇନି ।
ଋିପୋର୍ଟ ଅନୁ୍ଯାୟୀ, ଚାମ୍ପିଅନ୍ସ ଟ୍ରଫି ଫେବୃଆରୀ ୧୯ରୁ ଆରମ୍ଭ ହୋଇ ମାର୍ଚ୍ଚ ୯ରେ ସରିବ । ଟୁର୍ଣ୍ଣାମେଣ୍ଟ ପାକିସ୍ତାନ ଓ ୟୁଏଇରେ ଆୟୋଜନ ହେବ ।ଭାରତ ନିଜର ମ୍ୟାଚ୍ ୟୁଏଇରେ ଖେଳିବ ଏବଂ ଅବଶିଷ୍ଟ ମୁକାବିଲା ପାକିସ୍ତାନରେ ଖେଳାଯିବ । ଭାରତ ସେମି ଫାଇନାଲ୍ ଓ ଫାଇନାଲ ଯିବା ସ୍ଥିତିରେ ଏହା ୟୁଏଇର ଦୁବାଇର ଖେଳାଯିବ । ଯଦି ଭାରତ ଲିଗ୍ ପର୍ଯ୍ୟାୟରୁ ବାଦ୍ ପଡେ ତେବେ ନକଆଉଟ୍ ପର୍ଯ୍ୟାୟ ପାକିସ୍ତାନରେ ଖେଳାଯିବ । ଭାରତ ଓ ପାକିସ୍ତାନ ମଧ୍ୟରେ ହାଇ ପ୍ରୋଫାଇଲ୍ ମ୍ୟାଚ୍ ଫେବୃଆରୀ ୨୩ରେ ଦୁବାଇରେ ଖେଳାଯିବ ।
ଇଏସପିଏନ କ୍ରିକଇମ୍ଫୋ ମୁତାବକଶନିବାର ରାତିରେ ପିସିବି ଅଧ୍ୟକ୍ଷ ମୋହସିନ ନକଭି ଓ ୟୁଏଇ କ୍ରିକେଟ୍ ବୋର୍ଡର ମୁଖ୍ୟ ଶେଖ ନାହୟାନ ଅଲ ମୁବାରକଙ୍କ ମଧ୍ୟରେ ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିଥିଲା। ଏଥିରେ ନିରପେକ୍ଷ ସ୍ଥାନ ଭାବେ ଦୁବାଇକୁ ଚୟନ କରାଯାଇଛି।
ଚାମ୍ପିଅନ୍ସର ଉଦଘାଟନୀ ମ୍ୟାଚ୍ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ମ୍ୟାଚ୍ରେ ମୁହାଁମୁହିଁ ହୋଇ ପାରନ୍ତି ଭାରତ ଓ ବାଂଲାଦେଶ। ଏହା ପରେ ଏହି ଟ୍ରଫିର ସବୁଠୁ ହାଇଭୋଲଟେଜ୍ ମ୍ୟାଚ୍ ଭାରତ ଓ ପାକିସ୍ତାନ ମଧ୍ୟରେ ଫେବୃଆରୀ ୨୩ରେ ନିରପେକ୍ଷ ସ୍ଥାନରେ ଖେଳାଯିବ। ଭାରତର ପରବର୍ତ୍ତୀ ମ୍ୟାଚ୍ ମାର୍ଚ୍ଚ ୨ ତାରିଖ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବ।
ଆଠଟି ଦଳକୁ ନେଇ ଖେଳା ଯାଉଥିବା ଏହି ଟୁର୍ଣ୍ଣାମେଣ୍ଟରେ ଦୁଇଟି ଗ୍ରୁପ ରହିଛି। ପ୍ରତ୍ୟେକ ଗ୍ରୁପରୁ ଶୀର୍ଷ ଦୁଇ ଦଳ ସେମି ଫାଇନାଲ୍ରେ ପହଞ୍ଚିବ। ଗ୍ରୁପ ଏରେ ପାକିସ୍ତାନ, ଭାରତ, ନ୍ୟୁଜିଲାଣ୍ଡ ଓ ବାଂଲାଦେଶ ରହିପାରେ। ସେହିପରି ଗ୍ରୁପ ବିରେ ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଆଫଗାନିସ୍ତାନ ଓ ଇଂଲଣ୍ଡ ରହିପାରେ।