ଭୋପାଳ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନଦୀ ସଂଯୋଗୀକରଣ ଅଭିଯାନର ସ୍ୱପ୍ନକୁ ସାକାର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଖଜୁରାହୋଠାରେ ଦେଶର ପ୍ରଥମ କେନ୍-ବେତୱା ନଦୀ ସଂଯୋଗୀକରଣ ପ୍ରକଳ୍ପର ଶିଳାନ୍ୟାସ କରିବେ। ପ୍ରଧାନମନ୍ତ୍ରୀ ବୁଧବାର ମଧ୍ୟାହ୍ନ ୧୨ଟା ୧୦ରେ ଖଜୁରାହୋରେ ପହଞ୍ଚିବେ।
ଖଜୁରାହୋର ମେଳା ପଡ଼ିଆରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶ ରାଜ୍ୟପାଳ ମଙ୍ଗୁଭାଇ ପଟେଲ, ମୁଖ୍ୟମନ୍ତ୍ରୀ ଡ. ମୋହନ ଯାଦବ ଏବଂ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସିଆର୍ ପାଟିଲ ମଧ୍ୟ ଉପସ୍ଥିତ ରହିବେ। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ବୁନ୍ଦେଲଖଣ୍ଡ ଜଳ ସଙ୍କଟରୁ ମୁକ୍ତି ପାଇବା ସହ ରୋଜଗାର ପାଇଁ ସ୍ଥାନାନ୍ତର ମଧ୍ୟ ବନ୍ଦ ହୋଇଯିବ।
କେନ୍-ବେତୱା ଲିଙ୍କ୍ ନ୍ୟାସନାଲ ପ୍ରୋଜେକ୍ଟ ହେଉଛି ଭୂତଳ ଚାପଯୁକ୍ତ ପାଇପ୍ ଜଳସେଚନ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଦେଶର ସର୍ବବୃହତ ଜଳସେଚନ ପ୍ରକଳ୍ପ। ୪୪,୬୦୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପରେ ପାନ୍ନା ବ୍ୟାଘ୍ର ଅଭୟାରଣ୍ୟର କେନ୍ ନଦୀରେ ୭୭ ମିଟର ଉଚ୍ଚ ଓ ୨.୧୩ କିଲୋମିଟର ଲମ୍ବଦୌଧନ ଡ୍ୟାମ୍ ଏବଂ ୨,୮୫୩ ନିୟୁତ ଘନମିଟର ଜଳ ସଂରକ୍ଷଣ ପାଇଁ ଦୁଇଟି ସୁଡ଼ଙ୍ଗ ନିର୍ମାଣ କରାଯିବ।
ଡ୍ୟାମରୁ ୨୨୧ କିଲୋମିଟର ଲମ୍ବର ଏହି ଲିଙ୍କ୍ କେନାଲ ଦ୍ୱାରା ଉଭୟ ରାଜ୍ୟରେ ଜଳସେଚନ ଓ ପାନୀୟ ଜଳ ସୁବିଧା ଉପଲବ୍ଧ ହେବ। ଏହି ପ୍ରକଳ୍ପ ଦ୍ୱାରା ମଧ୍ୟପ୍ରଦେଶର ପାନ୍ନା, ଦାମୋହ, ଛତ୍ରପୁର, ଟିକମଗଡ଼, ନିୱାରୀ, ସାଗର, ରାଇସେନ, ବିଦିଶା, ଶିବପୁରୀ ଓ ଦତିଆ ସମେତ ୧୦ଟି ଜିଲ୍ଲାର ୨୦ ଗ୍ରାମର ୮.୧୧ ଲକ୍ଷ ହେକ୍ଟର ଜମିଜଳସେଚିତ ହେବ।
ଉତ୍ତର ପ୍ରଦେଶର ମହୋବା, ଝାନ୍ସୀ, ଲଳିତପୁର ଏବଂ ବାନ୍ଦା ଜିଲ୍ଲାକୁ ବାର୍ଷିକ ୫୯ ହଜାର ହେକ୍ଟର ଜଳସେଚନ ସୁବିଧା ମିଳିବ ଏବଂ ବର୍ତ୍ତମାନର ଜଳସେଚନ ପାଇଁ ୧.୯୨ ଲକ୍ଷ ହେକ୍ଟର ଜମିସ୍ଥିର ହେବ। ମଧ୍ୟପ୍ରଦେଶର ୪୪ ଲକ୍ଷ ଏବଂ ଉତ୍ତରପ୍ରଦେଶର ୨୧ ଲକ୍ଷ ଜନସଂଖ୍ୟାକୁ ପାନୀୟ ଜଳ ସୁବିଧା ମିଳିବ। ମଧ୍ୟପ୍ରଦେଶର ଛତ୍ରପୁର ଏବଂ ପାନ୍ନା ଜିଲ୍ଲାରେ କେନ୍ ନଦୀ ଉପରେ ଏହି ପ୍ରକଳ୍ପ ନିର୍ମାଣ କରାଯାଉଛି।
ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶର ଖଣ୍ଡୱା ଜିଲ୍ଲାର ଓମ୍କାରେଶ୍ୱରଠାରେ ସ୍ଥାପିତ ଓମକାରେଶ୍ୱର ଫ୍ଲୋଟିଂ ସୋଲାର ପ୍ରୋଜେକ୍ଟକୁ ଉଦଘାଟନ କରିବେ। ଏହି ପ୍ରକଳ୍ପ କାର୍ବନ ନିର୍ଗମନକୁ ହ୍ରାସ କରିବ ଏବଂ ୨୦୭୦ ସୁଦ୍ଧା ନିଟ୍ ଶୂନ କାର୍ବନ ନିର୍ଗମନ ଅଭିଯାନରେ ଯୋଗଦାନ କରିବ। ଏହା ଜଳ ବାଷ୍ପୀକରଣ କୁ ହ୍ରାସ କରି ଜଳ ସଂରକ୍ଷଣରେ ମଧ୍ୟ ସହାୟକ ହେବ। ଏହା ବ୍ୟତୀତ ୧୧୫୩ ଅଟଳ ଗ୍ରାମ ସୁଶାସନ ଭବନର ଶିଳାନ୍ୟାସ କରିବେ। ଅଟଳଜୀଙ୍କ ସ୍ମୃତିରେ ସେ ଏକ ଷ୍ଟାମ୍ପ ଓ ମୁଦ୍ରା ମଧ୍ୟ ଉନ୍ମୋଚନ କରିବେ।