ହ୍ରାଇଦ୍ରାବାଦ: ପୁଷ୍ପା-୨ ପ୍ରିମିୟର୍ ଶୋବେଳେ ସନ୍ଧ୍ୟା ଥିଏଟରରେ ଦଳାଚକଟାରେ ପ୍ରାଣ ହରାଇଥିବା ମୃତ ମହିଳାଙ୍କ ପରିବାରକୁ ୨ କୋଟି ଟଙ୍କା କ୍ଷତି ପୂରଣ ଦେବାକୁ ଘୋଷଣା କରାଯାଇଛି । ଯେଉଁଥିଲେ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ୧ କୋଟି ଦେବେ । ତାଙ୍କ ବାପା ଅଲ୍ଲୁ ଅରବିନ୍ଦ ମୃତା ମହିଳାଙ୍କ ପୁଅକୁ ମେଡ଼ିକାଲରେ ଭେଟିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି ।
ବୁଧବାର ଅଲ୍ଲୁ ଅରବିନ୍ଦ ପୁଷ୍ପା-୨ ପ୍ରିମିୟର୍ ଶୋରେ ଦଳାଚକଟାରେ ଗୁରୁତର ହୋଇ ଭେଣ୍ଟିଲେଟରେ ଚିକିତ୍ସାଧୀନ ଥିବା ପିଲାକୁ ମେଡ଼ିକାଲରେ ଭେଟିଛନ୍ତି । ଏହା ପରେ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ପୀଡ଼ିତାଙ୍କ ପରିବାରକୁ ୨ କୋଟି ଟଙ୍କା ଦେବାକୁ ଘୋଷଣା କରିଛନ୍ତି । ଯେଉଁଥିଲେ ଅଲ୍ଲୁ ଅର୍ଜୁନ ୧ କୋଟି ଏବଂ ପୁଷ୍ପା ଫିଲ୍ମ ନିର୍ଦ୍ଦେଶକ ସୁକୁମାର ଓ ଫିଲ୍ମ ନିର୍ମାତା ମୈଥରୀ ମୁବିଜ୍ ୫୦ ଲକ୍ଷ ଲେଖାଏଁ ଦେବେ । ଉକ୍ତ ଚେକ୍ କୁ ତେଲେଙ୍ଗାନା ରାଜ୍ୟ ଫିଲ୍ମ ବିକାଶ ନିଗମକୁ ହସ୍ତାନ୍ତର ମଧ୍ୟ କରାଯାଇଛି । ଏହା ସହିତ ଆହରି କହିଛନ୍ତି ପରିବାର ସହିତ ସେମାନେ ସମସ୍ତ ପ୍ରକାର ସହଯୋଗ କରିବେ ଏବଂ ପିଲାର ଚିକିତ୍ସା ଖର୍ଚ୍ଚ ମଧ୍ୟ ବହନ କରିବେ । ଅନ୍ୟପକ୍ଷରେ ଗୁରୁତର ପିଲାର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିବା ଜଣାପଡ଼ିଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଡିସେମ୍ବର ୪ ତାରିଖରେ ପୁଷ୍ପା-୨ ଫିଲ୍ମ ପ୍ରମିୟର୍ ଶୋ ପାଇଁ ହ୍ରାଇଦ୍ରାବାଦର ପ୍ରମୁଖ ‘ସନ୍ଧ୍ୟା ଥିଏଟର୍’ରେ ଆୟୋଜନ କରିଥିଲେ । ‘ସନ୍ଧ୍ୟା ଥିଏଟର୍’ରେ ପ୍ରିମିୟର୍ ଶୋ ଦେଖିବାକୁ ଅଲ୍ଲୁ ଅର୍ଜୁନ ନିଜର ପରିବାର ସହିତ ଆସି ପହଁଚିଥିଲେ । ମେଗା ଷ୍ଟାରଙ୍କ ଟିକେ ଝଲକ୍ ଦେଖିବାକୁ ଅସମ୍ଭାଳ ଭିଡ଼ ହୋଇଥିଲା । ପାଖାପାଖି ହଜାରେ ଲୋକ ରୁଣ୍ଡ ହୋଇଥିଲା । ସେ ପହଁଚିବା ପରେ ଦଳାଚକଟା ସ୍ଥିତି ଉତ୍ପନ୍ନ ହୋଇଥିଲା । ଏହି ଦଳଚକଟାରେ ଜଣେ ରେବତୀ ନାମକ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିଲା । ଏହା ସହିତ ତାଙ୍କର ଗୋଟିଏ ୯ ବର୍ଷ ବୟସର ପୁଅ ମଧ୍ୟ ଗୁରୁତର ହୋଇଥିଲେ । ପିଲାଟି ଏବେବି ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି । ତେବେ ଏହି ଘଟଣା ପରେ ଅଲ୍ଲୁ ଦୁଃଖ ପ୍ରକାଶ କରିବା ସହିତ ମହିଳାଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଏକ ଭିଡ଼ିଓ ଜରିଆରେ କହିଥିଲେ । ମହିଳାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର କ୍ଷତି ପୂରଣ ଦେବାକୁ ସେ କହିଥିଲେ । ଉକ୍ତ ପରିବାର ସହିତ ସେ ଅଛନ୍ତି ବୋଲି କହିଥିଲେ ଅଲ୍ଲୁ ।
ତେବେ ମାମଲରେ ଗତ ୧୩ ତାରିଖରେ ଅଲ୍ଲୁ ଅର୍ଜୁନଙ୍କୁ ମଧ୍ୟ ଜେଲ୍ ଯିବାକୁ ପଡ଼ିଥିଲା । ଏହା ପରେ ସେ ଜାମିନରେ ମୁକୁଳିଥିଲେ ।