ମୁମ୍ବାଇ, ଆଉ ନାହାଁନ୍ତି ଲୋକପ୍ରିୟ ଦିଗ୍ଗଜ ଅଭିନେତା ଅଚ୍ୟୁତ ପୋଟଦାର । ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ସୋମବାର ଦେହତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା । ସେ ଜଣେ ଲୋକପ୍ରିୟ ମରାଠୀ ଅଭିନେତା ସହିତ ବଲିଉଡର ଅନେକ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରି ଅନେକ ପ୍ରଶଂସା ସାଉଁଟିଛନ୍ତି । ‘ଥ୍ରୀ-ଇଡିଅଟ୍’ ଫିଲ୍ମରେ ତାଙ୍କର ପ୍ରଫେସର ଚରିତ୍ର ଦର୍ଶକଙ୍କ ମନ କିଣି ଥିଲା । ଥାନେରେ ତାଙ୍କର ମଙ୍ଗଳବାର ଅନ୍ତିମ ସଂସ୍କାର କରାଯିବ । ତେବେ ତାଙ୍କ ଦେହାନ୍ତକୁ ନେଇ ପରିବାର ବର୍ଗ ପକ୍ଷରୁ କୌଣସି ସୂଚନା ଦିଆଯାଇନଥିଲେ ମଧ୍ୟ ଅନେକ ଜାତୀୟ ଗଣମାଧ୍ୟମ ତାଙ୍କ ମୃତ୍ୟୁକୁ ନେଇ ଖବର ପ୍ରକାଶ କରିଛନ୍ତି ।
ଅଚ୍ୟୁତ ପୋଟଦାର ପ୍ରଥମେ ଜଣେ ଅଧ୍ୟାପକ ହିସାବରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ । ମସିହାରେ ମଧ୍ୟପ୍ରଦେଶ ରେୱାରେ ପ୍ରଫେସର ଭାବେ ଯୋଗ ଦେଇଥିଲେ । ୧୯୬୭ରେ ସେନାର କ୍ୟାପଟେନ୍ ପଦରୁ ଅବସର ଗ୍ରହଣ କରିଥିଲେ । ଖାଲି ସେତିକି ନୁହେଁ ୨୫ ବର୍ଷ ଧରି ଇଣ୍ଡିଆନ ଅଏଲରେ କାମ କରିଛନ୍ତି । ୧୯୯୨ ମସିହାରେ ୫୮ ସେ ଚାକିରିରୁ ଅବସର ଗ୍ରହଣ କରିଥିଲେ । ଏହାରି ମଧ୍ୟରେ ସେ ଅଭିନୟ ପ୍ରତି ଆକୃଷ୍ଟ ହୋଇଥିଲେ । ତାଙ୍କୁ ଯେତେବେଳେ ୪୪ ବର୍ଷ ବୟସ ହୋଇଥିଲା ସେ ସେତେବେଳେ ଅଭିନୟ କରିବା ଆରମ୍ଭ କରିଥିଲେ ।
ଅଚ୍ୟୁତ ପୋଟଦାର ଦୀର୍ଘ ୪ ଦଶନ୍ଧି ଧରି ଫିଲ୍ମ ଜଗତ ସହିତ ଜଡ଼ିତ ଥିଲେ । ସେ ତାଙ୍କର ଜୀବନରେ ୧୨୫ରୁ ଉର୍ଦ୍ଧ୍ୱ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ତାଙ୍କର ଅଧିକ ଲୋକପ୍ରିୟ ଫିଲ୍ମ ଗୁଡ଼ିକ ହେଲା ‘ଆକ୍ରୋଶ’, ‘ଆଲବର୍ଟ ପିଣ୍ଟୋ କୋ ଗୁସା କ୍ୟୁଁ ଆତା ହେ’, ‘ଅର୍ଦ୍ଧ ସତ୍ୟ’, ‘ତେଜାବ’, ‘ପରିନ୍ଦା’, ‘ରାଜୁ ବନ ଗୟା ଜେଣ୍ଟଲ୍ ମ୍ୟାନ୍’, ‘ଦିଲୱାଲେ’, ‘ରଙ୍ଗିଲା’, ‘ବତ୍ସବ’, ‘ହମ୍ ସାଥ୍ ସାଥ୍ ହେଁ’, ‘ପରିଣୀତା’, ‘ଲଗେ ରହୋ ମୁନ୍ନା ଭାଇ’, ‘ଦବାଙ୍ଗ-୨’ ଏବଂ ‘ଭେଣ୍ଟିଲେଟର୍’ ଇତ୍ୟାଦି । ଆମିର୍ ଖାନଙ୍କ ଅଭିନୀତ ‘ଥ୍ରୀ-ଇଡିଅଟ୍’ରେ ଅଚ୍ୟୁତ ଜଣେ ରାଗି ପ୍ରଫେସର ଚରିତ୍ର ଅଭିନୟ କରିଥିଲେ । ଯାହାକି ବେଶ୍ ମଜାଦାର ଥିଲା ।
ଖାଲି ଏତିକି ଅଚ୍ୟୁତଙ୍କ ଅଭିନୟ ସୀମିତ ନ ଥିଲା । ସେ ଅନେକ ଟେଲିଭିଜନ ଧାରାବାହିକରେ ମଧ୍ୟ ଅଭିନୟର ଯାଦୁ ଦେଖାଇଛନ୍ତି । ‘ଭାରତ କି ଖୋଜ୍’, ‘ଅଲ୍ ଦ ବେଷ୍ଟ’, ‘ପ୍ରଧାନ ମନ୍ତ୍ରୀ’, ‘ଅଗଲେ ଜନମ୍ ମୋହେ ବିଟିୟା ହି କିଜୋ’, ‘ଆହାଟ୍-୧’ ଏବଂ ‘ୱାଘଲେ କି ଦୁନିଆ’ ଇତ୍ୟାଦି ।