ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟରେ ୧୫୪୨ଟି ବହୁମୁଖୀ ପ୍ରାଥମିକ କୃଷି ସମବାୟ ସମିତିର ଶୁଭାରମ୍ଭ କରିଛନ୍ତି । ଲୋକ ସେବା ଭବନର କନଭେନସନ ସେଣ୍ଟରଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି ସମବାୟ ସମିତି ଗୁଡିକର ଶୁଭାରମ୍ଭ କରିଛନ୍ତି । କୃଷକମାନଙ୍କୁ ଠିକ୍ ସମୟରେ ଋଣ ଦେବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ରାଜ୍ୟରେ ସମୁଦାୟ ୨୭୧୧ଟି ପ୍ୟାକ୍ସ (PACS)ଥିବା ବେଳେ, ରାଜ୍ୟ ସରକାର ଆଉ ୧୫୪୨ଟି ନୂଆ ବହୁମୁଖୀ ପ୍ୟାକ୍ସ ( MPACS) ଗଠନ କରିଛନ୍ତି । ଏହା ଦ୍ୱାରା ରାଜ୍ୟର ସମୁଦାୟ ପ୍ୟାକ୍ସ ସଂଖ୍ୟା ୪୨୫୩ରେ ପହଞ୍ଚିଛି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସମବାୟ ଆନ୍ଦୋଳନକୁ ଲୋକାଭିମୁଖୀ କରିବା ପାଇଁ କେନ୍ଦ୍ର ସରକାରଙ୍କ ସମବାୟ ବିଭାଗ ଆନୁକୂଲ୍ୟରେ ସମୁଦାୟ ୫୪ଟି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।
ଏଗୁଡିକ ମଧ୍ୟରୁ କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ହେଉଛି, PACS ଓ LAMPCS ଗୁଡିକୁ ବହୁମୁଖି କରିବା ପାଇଁ ମଡେଲ ବାଇ-ଲ ପ୍ରଚଳନ; କମ୍ପ୍ୟୁଟରିକରଣ ମାଧ୍ୟମରେ PACS ଗୁଡିକୁ ସ୍ୱଚ୍ଛ ଓ ମଜଭୁତ କରିବା, ସାର ଓ ବିହନ ଯୋଗାଣ, ଜନ ଔଷଧୀ କେନ୍ଦ୍ର ଓ କମନ୍ ସର୍ଭିସ ସେଣ୍ଟର ସ୍ଥାପନ, କୃଷି ସେବା କେନ୍ଦ୍ର ସ୍ଥାପନ, Consumer Store ସ୍ଥାପନ, ବୈଜ୍ଞାନିକ ପଦ୍ଧତିରେ ଶସ୍ୟ ସଂରକ୍ଷଣ କେନ୍ଦ୍ର ସ୍ଥାପନ ଇତ୍ୟାଦି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ୭୭ଟି ପ୍ୟାକ୍ସକୁ ମଡେଲ୍ ପ୍ୟାକ୍ସ ଭାବରେ ବିକଶିତ କରିବା ପାଇଁ ନିଷ୍ପତି ନେଇଛନ୍ତି । ଅର୍ଥାତ ଗୋଟିଏ ଛାତ ତଳେ କୃଷି ସମ୍ବନ୍ଧୀୟ ସବୁ ପ୍ରକାର ସୁବିଧା ମିଳିବ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି । ୨୦୧୫ ମସିହାରୁ ବନ୍ଦ ହୋଇ ପଡିଥିବା ଭୁବନେଶ୍ୱର ସହରାଞ୍ଚଳ ସମବାୟ ବ୍ୟାଙ୍କର ସମସ୍ତ ଜମାକାରୀମାନଙ୍କୁ ଜମାରାଶି ଫେରସ୍ତ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହା ଦ୍ୱାରା ସମବାୟ ବ୍ୟାଙ୍କ ଉପରେ ଲୋକମାନଙ୍କ ଆସ୍ଥା ପୁନଃ ପ୍ରତିଷ୍ଠାରେ ସହାୟକ ହେବ ବୋଲି ସେ କହିଥିଲେ ।
ସମବାୟ ସଂସ୍ଥା ଗୁଡିକ ଚାଷୀ ମାନଙ୍କ ସମସ୍ୟା ସମାଧାନ ଉପରେ ଗୁରୁତ୍ୱ ଦେଇ ସେମାନଙ୍କ ସମସ୍ୟାର ରିଅଲ୍ ଟାଇମ୍ ସେଟଲମେଣ୍ଟ (Real Time Settlement) କରିବା ଆବଶ୍ୟକ । ନ ହେଲେ କମ୍ପ୍ୟୁଟରୀକରଣର କୌଣସି ଅର୍ଥ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଦୁର୍ନୀତିକୁ ରୋକିବାକୁ ସବୁ ପ୍ରାଥମିକ ସମବାୟ ସମିତିର ଖାତାପତ୍ର ଅଡିଟ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
କୃଷକମାନଙ୍କୁ ଠିକ୍ ସମୟରେ ଋଣ ଦେବାକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗତ କିଛି ବର୍ଷ ହେବ ଋଣ ନାଁରେ ever-greening ରୀତି ଚାଲିଥିଲା। ଆଶା କରୁଛି, ଯେ ବର୍ତ୍ତମାନ ଏହା ଆଉ ହେଉନାହିଁ, ଏବଂ ଚାଷୀମାନେ ପ୍ରକୃତରେ ଋଣ ପାଉଛନ୍ତି। ଗୁଜରାଟ ପରି ମୋଦୀଜୀଙ୍କ ମାର୍ଗ ଦର୍ଶନରେ ଓଡିଶାରେ ସମବାୟ ଆନ୍ଦୋଳନକୁ ଏକ ଗଣ ଆନ୍ଦୋଳନରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏହି ଅବସରରେ ଗୋପାଳପୁର ସମବାୟ ତାଲିମ କେନ୍ଦ୍ରର ବିକାଶ ପାଇଁ ଏକ ଚୁକ୍ତିନାମା ସ୍ଵାକ୍ଷରିତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ କେତେକ ସମବାୟ ସଂସ୍ଥାର ସଦସ୍ୟମାନଙ୍କୁ Micro ATM ଓ Rupay Card ପ୍ରଦାନ କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ , ନାବାର୍ଡ ଉପ ପରିଚାଳନା ନିର୍ଦ୍ଦେଶକ ଡଃ ଅଜୟ କୁମାର ସୁଦ୍ , ସମବାୟ ବିଭାଗ କମିଶନର ତଥା ଶାସନ ସଚିବ ରାଜେଶ ପ୍ରଭାକର ପାଟିଲ, ସମବାୟ ନିବନ୍ଧକ ସନ୍ତୋଷ କୁମାର ଦାଶ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡଃ ଅରବିନ୍ଦ କୁମାର ପାଢୀ ପ୍ରମୁଖ ଉପସ୍ଥିତ ଥିଲେ ।