କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ପର୍ଶଳା ପଞ୍ଚାୟତ ଗୋପୀନାଥପୁର ଗାଁରେ ଅଖା ବସ୍ତାରୁ ନାବାଳକ ମୃତ ଦେହ ଉଦ୍ଧାର ହେବା ଘଟଣା ଏବେ ଭିନ୍ନ ମୋଡ଼ ନେଇଛି । କେଉଁ କାରଣ ପାଇଂ ନାବାଳକୁ ହତ୍ୟା କରାଯାଇଛି ତାହା ଜଣାପଡ଼ିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି । ପଡ଼ୋଶୀଠାରୁ ପ୍ରତିଶୋଧ ପାଇଁ ନେବାକୁ ବଳି ପଡ଼ିଯାଇଛି ନାବାଳକ । ଆଜି ଅଭିଯୁକ୍ତକୁ ନେଇ ସିନ୍ ରିକ୍ରିଏସନ୍ ବେଳେ ସୂଚନା ଦେଇଛନ୍ତି ଅତିରିକ୍ତ ଏସପି ହରପ୍ରିୟା ନାୟକ ।
ପୋଲିସ ସୂଚନା ମୁତାବକ, ଅଭିଯୁକ୍ତ ଗଙ୍ଗାରାମ ମୁଣ୍ଡାଙ୍କର ଗାଁର ଗୌରାଙ୍ଗ ପାତ୍ରଙ୍କ ସହିତ ରାସ୍ତାକାମ ପାଇଁ ଜମିଜମା ମାପଚୁପକୁ ନେଇ ବିବାଦ ହୋଇଥିଲା । ଏହି ବଚସାକୁ କେନ୍ଦ୍ର କରି ଗୌରାଙ୍ଗ ପାତ୍ରଙ୍କଠାରୁ ଗଙ୍ଗାରାମ ପ୍ରତିଶୋଧ ନେବାକୁ ରଚିଥିଲା ହୀନ ଷଡ଼ଯନ୍ତ୍ର । ସେଥିପାଇଁ ଗୌରାଙ୍ଗ ପଡ଼ୋଶୀ ସ୍ଵର୍ଗତ ରାହାସ ମୁଣ୍ଡାଙ୍କ ପୁଅ ପବନ ମୁଣ୍ଡାକୁ ମୋହରା ବନାଇଥିଲା । ଗୌରାଙ୍ଗକୁ ହତ୍ୟା ଅଭିଯୋଗରେ ଫସାଇବାକୁ ପ୍ରଥମେ ଗଙ୍ଗାରାମ ପବନକୁ ଗତ ସୋମବାର ସନ୍ଧ୍ୟାରେ ଅପହରଣ କରିଥିଲା । ଏହା ପରେ ରାତିରେ ପବନକୁ ଏକ ଲୁହା ରଡ୍ ରେ ପିଟି ପିଟି ହତ୍ୟା କରିଥିଲା । ରାତାରାତି ମୃତ ଦେହକୁ ଏକ ବସ୍ତାରେ ବାନ୍ଧି ଗୌରାଙ୍ଗ ପାତ୍ରଙ୍କ ଘର ସମ୍ମୁଖରେ ରଖିଦେଇଥିଲା ବୋଲି ଜଣାପଡ଼ିଛି ।
ତେବେ ଆଜି ପୋଲିସ ଅଭିଯୁକ୍ତ ଗଙ୍ଗାରାମକୁ ଘଟଣା ସ୍ଥଳକୁ ନେଇ ସିନ୍ ରିକ୍ରିଏଟ୍ କରିଥିଲା । ଘଟଣାସ୍ଥଳରୁ ହତ୍ୟାକାଣ୍ଡରେ ବ୍ୟବହୃତ ରଡ୍ କୁ ମଧ୍ୟ ଜବତ କରିଛି ପୋଲିସ ।
ଏଠାରେ ପ୍ରକାଶ ଥାଉକି, ପବନା ମୁଣ୍ଡା ରବିବାର ସନ୍ଧ୍ୟାରୁ ନିଖୋଜ ଥିଲେ । ପରିବାର ଲୋକେ ଚାରିଆଡ଼େ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ । ସୋମବାର ସକାଳେ ଗାଁର ଗୌରାଙ୍ଗ ପାତ୍ରଙ୍କ ଘର ସମ୍ମୁଖରେ ଏକ ମୁହଁ ବନ୍ଧା ହୋଇଥିବା ଅଖା ବସ୍ତା ପଡ଼ିଥିଲା । ଏନେଇ ଗୌରାଙ୍ଗଙ୍କର ସନ୍ଦେହ ହୋଇଥିଲା । ସେ ସଙ୍ଗେ ସଙ୍ଗେ ରିମୁଳି ଥାନାକୁ ଘଟଣା ସଂପର୍କରେ ଜଣାଇଥିଲେ । ରିମୁଳି ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ବସ୍ତାଟିକୁ ଖୋଲିଥିଲେ । ଏହାପରେ ବସ୍ତାରୁ ନିଖୋଜ ନାବାଳକର ମୃତଦେହ ମିଳିଥିଲା ।