ନୂଆଦିଲ୍ଲୀ: ଘନ କୁହୁଡ଼ି ଯୋଗୁଁ ଦିଲ୍ଲୀ ଅନ୍ତର୍ଜାତୀୟ ବିମାନବନ୍ଦର (ଆଇଜିଆଇ) ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି। ଦିଲ୍ଲୀ ବିମାନବନ୍ଦର ପକ୍ଷରୁ କୁହାଯାଇଛି ଯେ, ସିଏଟି-୩ ଅନୁସରଣ କରୁନଥିବା ବିମାନଗୁଡ଼ିକ ବିଳମ୍ବ କିମ୍ବା ବାତିଲ୍ର ସମ୍ମୁଖୀନ ହୋଇପାରନ୍ତି। ସିଏଟି-୩ କୁ ପାଳନ କରୁନଥିବା ବିମାନ ପ୍ରଭାବିତ ହୋଇପାରେ ଏବଂ ଯାତ୍ରୀମାନଙ୍କୁ ବିମାନ ସମ୍ବନ୍ଧୀୟ ସଦ୍ୟତମ ସୂଚନା ପାଇଁ ଏୟାରଲାଇନ୍ସ ସହ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।
ବୁଧବାର ସକାଳୁ ଦିଲ୍ଲୀ-ଏନସିଆରରେ ଘନ କୁହୁଡ଼ି ଲାଗି ରହିଥିଲା। ଫଳରେ ବିମାନ ଓ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଥିଲା। ରାସ୍ତାରେ ଯାତାୟତ ମଧ୍ୟ ଧୀରେ ଧୀରେ ଚାଲିଥିଲା। ଦ୍ୱାରକା ଏକ୍ସପ୍ରେସୱେରୁ ଗାଜିଆବାଦ, ନୋଏଡା ଏବଂ ଗୁରୁଗ୍ରାମ ଭଳି ରାସ୍ତାରେ ଦୃଶ୍ୟମାନତା କମ୍ ଥିବାରୁ ଗାଡ଼ି ଚାଳକମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। କେତେକ ରାସ୍ତାରେ କୁହୁଡ଼ି ଯୋଗୁଁ ଜାମ୍ ହେବାର ମଧ୍ୟ ସୂଚନା ମିଳିଛି।
ସେହିପରି କୁହୁଡ଼ି ଯୋଗୁଁ ଟ୍ରେନ୍ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି। କୁହୁଡ଼ି ଯୋଗୁଁ ଦିଲ୍ଲୀ ଅଭିମୁଖେ ଯାଉଥିବା ୨୦ଟି ଟ୍ରେନ୍ ବିଳମ୍ବିତ ହୋଇଛି। ପ୍ରଭାବିତ ଟ୍ରେନ୍ ଗୁଡ଼ିକ ମଧ୍ୟରେ ଗୋଆ ଏକ୍ସପ୍ରେସ୍, ପୂର୍ବା ଏକ୍ସପ୍ରେସ୍, କାଲିନ୍ଦୀ ଏକ୍ସପ୍ରେସ୍ ଏବଂ ରେୱା-ଆନନ୍ଦ ବିହାର ଟର୍ମିନାଲ ଏସ୍ଏଫ୍ ଏକ୍ସପ୍ରେସ୍ ରହିଛି। ଫଳରେ ଯାତ୍ରୀମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା।
ବୁଧବାର ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ସେଲସିୟସରେ ପହଞ୍ଚିଥିବା ବେଳେ ମଙ୍ଗଳବାର ହାଲୁକା ବର୍ଷା ଯୋଗୁଁ ଏହା ୭ ଡିଗ୍ରୀ ସେଲସିୟସକୁ ଖସି ଆସିଛି। ଡିସେମ୍ବର ୨୬ରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏଥିସହ ଡିସେମ୍ବର ୨୫ ପରେ ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ବିଭାଗ । ଏସବୁ ଭିତରେ ମଙ୍ଗଳବାର ବର୍ଷା ଯୋଗୁଁ ଦିଲ୍ଲୀର ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ)ରେ ଉନ୍ନତି ପରିଲକ୍ଷିତ ହୋଇଛି।
ଅଧିକ ପଢ଼ନ୍ତୁ: ଖ୍ରୀଷ୍ଟମାସ ଛୁଟିରେ ପ୍ରବଳ ତୁଷାରପାତ ବଢ଼ାଇଲା ପର୍ଯ୍ୟଟକଙ୍କ ଚିନ୍ତା