ମୁମ୍ବାଇ: ପୂର୍ବତନ ଭାରତୀୟ କ୍ରିକେଟର ବିନୋଦ କାମ୍ବଲି ଅସୁସ୍ଥ । ତାଙ୍କୁ ମୁମ୍ବାଇର ଠାଣେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଶନିବାର ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ଠାଣେ ଠାରେ ଥିବା ଆକୃତି ହସ୍ପିଟାଲକୁ ନିଆଯାଇଥିଲା । ବର୍ତ୍ତମାନ ସୁଦ୍ଧା ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାରା ଆସି ନ ଥିବା ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି ।
ବିନୋଦ କାମ୍ବାଲି ଓ ସଚିନ୍ ତେନ୍ଦୁଲକର ଏକାସାଥିରେ ରମାକାନ୍ତ ଆଚରେକରଙ୍କ ପ୍ରଶିକ୍ଷଣରେ ଶିବାଜୀ ପାର୍କରେ କ୍ରିକେଟ ଖେଳୁଥିଲେ । ନିକଟରେ ମୁମ୍ବାଇରେ ଶିବାଜୀ ପାର୍କରେ ଆଚରେକରଙ୍କ ପ୍ରତିମୂର୍ତି ଉନ୍ମୋଚନ ହୋଇଥିଲା, ଏହି ସମାରୋହରେ ବିନୋଦ କାମ୍ବଲି ନଜର ଆସିଥିଲେ । ତାଙ୍କ ସହ ପୁରୁଖା ବନ୍ଧୁ ସଚିନ ତେନ୍ଦୁଲକରଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ସେ ସମୟରେ ବି ବିନୋଦ କାମ୍ବାଲିଙ୍କ ଶରୀର ଅସୁସ୍ଥତା ଦିଶୁଥିଲା । ବିନୋଦଙ୍କ ବୟସ ବର୍ତ୍ତମାନ ୫୨ ବର୍ଷ, ହେଲେ ସେ ଏବେ ୭୫ ବର୍ଷର ବୃଦ୍ଧଙ୍କ ପରି ଦିଶୁଛନ୍ତି । ରୋଗ ହେତୁ ସେ ଏଭଳି ଦିଶୁଛନ୍ତି ।
୧୯୯୧ରେ ଟିମ୍ ଇଣ୍ଡିଆରେ ଦିନିକିଆ ମ୍ୟାଚ (ୱାନ ଡେ)ରେ ଡେୁବ୍ୟ କରିଥିଲେ ବିନୋଦ କାମ୍ବଲି, ଶେଷ ଥର ପାଇଁ ୨୦୦୦ ମସିହାରେ ୱାନ ଡେ ଖେଳିଥିଲେ । ପରେ ୨୦୦୯ରେ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ଅଲବିଦା (ବିଦାୟ) ନେଇଥିଲେ ବିନୋଦ କାମ୍ବଲି ।
ନିଜ କ୍ୟାରିୟର ମଧ୍ୟରେ ସେ ୧୭ଟି ଟେଷ୍ଟ ମ୍ୟାଚ, ୧୦୪ଟି ୱାନ ଡେ ଇଣ୍ଟରନ୍ୟାସନାଲ ଖେଳିଛନ୍ତି । ବାମ ହାତରେ ଚମତ୍କାର କ୍ରିକେଟ ଖେଳୁଥିବା ଏହି ବ୍ୟାଟ୍ସମ୍ୟାନ ଜଣକ ଟେଷ୍ଟରେ ହାରାହାରି ୫୪.୨୦ରେ ୧୦୮୪ ରନ୍ ସଂଗ୍ରହ କରିଥିଲେ ।