ଢେଙ୍କାନାଳ: ମାନ୍ୟବର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ କର କମଳରେ ଲୋକାର୍ପିତ ହେଲା ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ ଦଣ୍ଡାଧର ପର୍ଯ୍ୟଟନ ସ୍ଥଳୀ। ୫ କୋଟି ୬ ଲକ୍ଷ ଟଙ୍କା ବ୍ୟୟରେ ଏହି ପର୍ଯ୍ୟଟନ ସ୍ଥଳୀରେ ପାର୍କିଂ ବ୍ୟବସ୍ଥା, ଶିଶୁ କ୍ରୀଡ଼ା କ୍ଷେତ୍ର, ଭୋଜି ପିଣ୍ଡି, ଚଲାରାସ୍ତା,ଶୌଚାଳୟ, ଫୁଡ୍ ପ୍ଲାଜା ଆଦି ଉନ୍ନତିକରଣ କାର୍ଯ୍ୟ କରାଯାଇଛି। ଆବଶ୍ୟକ ପଡିଲେ ଆହୁରି ୧୦ କୋଟି ଟଙ୍କା ମଂଜୁର କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ଓଡ଼ିଶାକୁ ପର୍ଯ୍ୟଟନ କ୍ଷେତ୍ରରେ ଅଧିକ ବିକଶିତ କରିବାକୁ ରାଜ୍ୟ ଏବଂ କେନ୍ଦ୍ର ସରକାର ସମସ୍ତ ପ୍ରକାରର ଉଦ୍ୟମ କରୁଛନ୍ତି। ପର୍ଯ୍ୟଟନ କ୍ଷେତ୍ରରେ ଢ଼େଙ୍କାନାଳ ଜିଲ୍ଲାକୁ ଅଗ୍ରାଧିକାର ଦିଆ ଯାଇଛି ବୋଲି ସେ ପ୍ରକାଶ କରିଛନ୍ତି । ଦଣ୍ଡାଧାର ପର୍ଯ୍ୟଟନ ସ୍ଥଳୀର ବିକାଶ ଯୋଗୁଁ ଆଦିବାସୀ ଅଧ୍ୟୁଷିତ ଅଂଚ଼ଳର ଲୋକମାନଙ୍କର ଆର୍ଥିକ ବିକାଶ ଘଟିବା ସହ ମହିଳାମାନଙ୍କ ବିକାଶ, ସୁରକ୍ଷା ଏବଂ ସଶକ୍ତିକରଣ ହୋଇପାରିବ।
ଏଥିସହିତ ସୁଭଦ୍ରା ଯୋଜନାରୁ ଜଣେ ହେଲେ ହିତାଧିକାରୀ ବଞ୍ଚିତ ହେବେ ନାହିଁ ବୋଲି ଉପ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଅନ୍ୟତମ ଅତିଥିଭାବେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ପରଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନ, କାମାକ୍ଷାନଗର ବିଧାୟକ ଶତୃଘ୍ନ ଜେନା ଯୋଗ ଦେଇଥିଲେ। ଏହି ପର୍ଯ୍ୟଟନ ସ୍ଥଳୀର ବିକାଶ ଯୋଗୁଁ ଢ଼େଙ୍କାନାଳ ଜିଲ୍ଲାର ଆକର୍ଷଣ ବୃଦ୍ଧି ପାଇବ, ଏଥି ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ଏହି ଲୋକାର୍ପଣ ଉତ୍ସବରେ ଜିଲ୍ଲାପାଳ ଶ୍ରୀ ସୋମେଶ କୁମାର ଉପାଧ୍ୟାୟ, ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଭିନବ ସୋନକର ପ୍ରମୁଖ ଉପସ୍ଥିତ ଥିଲେ।