ନୂଆଦିଲ୍ଲୀ/ଭୁବନେଶ୍ବର: ବିମାନ ଦୁର୍ଘଟଣାରୁ ପୁଣି ୧୮୦ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ କୋଲକାତା ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନ (୬ଇ-୬୧୦୧) ବୁଧବାର ଅପରାହ୍ନରେ ଦୁର୍ଘଟଣାରୁ ବର୍ତ୍ତିଯାଇଛି। ବିମାନବନ୍ଦରରୁ ବିମାନ ଉଡ଼ିବା ସମୟରେ ଏକ ପକ୍ଷୀ ମାଡ଼ ହୋଇଥିଲା। ବିମାନର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଥିଲା। ପାଇଲଟ୍ ବିମାନକୁ ଗନ୍ତବ୍ୟସ୍ଥଳକୁ ନ ନେଇ ଜରୁରୀ ଅବତରଣ କରିବା ପାଇଁ ଏଟିସିକୁ ଅନୁମତି ମାଗିଥିଲେ। କିଛି ଅଘଟଣ ଘଟିବା ପୂର୍ବରୁ ଏଟିସି ବିମାନକୁ ଜରୁରୀ ଅବତରଣ କରିବା ପାଇଁ ସୂଚନା ଦେଇଥିଲେ। ଉଡାଣର ଅଳ୍ପ ସମୟ ମଧ୍ୟରେ ବିମାନଟି ଜରୁରୀ ଅବତରଣ କରିବାରୁ ବିମାନରେ ଥିବା ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଫଳରେ ବିମାନଟି ଜରୁରୀ ଅବତରଣ କରିଥିଲା ଓ ୧୮୦ ଜଣ ଯାତ୍ରୀଙ୍କ ଜୀବନ ବର୍ତ୍ତି ଯାଇଥିଲା।
ନୂଆଦିଲ୍ଲୀରୁ ଲେହ ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନ (୬ଇ ୨୦୦୬)ରେ ଯାନ୍ତ୍ରିକ ସମସ୍ୟା ଦେଖାଯାଇଛି। ଫଳରେ ବିମାନକୁ ଦିଲ୍ଲୀରେ ଜରୁରୀକାଳୀନ ଅବତରଣ କରିବାକୁ ପଡ଼ିଛି। ବିମାନରେ ପାଇଲଟ୍ ଏବଂ କର୍ମଚାରୀଙ୍କ ସମେତ ପ୍ରାୟ ୧୮୦ ଜଣ ଥିଲେ। ସମସ୍ତଙ୍କୁ ସୁରକ୍ଷିତ ଭାବରେ ବିମାନରୁ ବାହାର କରାଯାଇଛି। ଇଣ୍ଡିଗୋ ଏପର୍ଯ୍ୟନ୍ତ ଯାନ୍ତ୍ରିକ ସମସ୍ୟା ବିଷୟରେ ସଠିକ୍ ସୂଚନା ଦେଇନାହିଁ।
ସୂଚନାଯୋଗ୍ୟ, ଗତ ୧୨ ତାରିଖରେ ଗୁଜରାଟର ଅହମଦାବାଦ ବିମାନବନ୍ଦରରୁ ଲଣ୍ଡନ ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ଏୟାର ଇଣ୍ଡିଆର ବିମାନ ଉଡାଣ କିଛି ସମୟ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ୨୪୧ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ସାରା ବିଶ୍ଵକୁ ସ୍ତବ୍ଧ କରିଦେଇଛି। ଏହି ଘଟଣାରେ ଯାତ୍ରୀମାନେ ବିମାନରେ ମଧ୍ୟ ଯାତ୍ରା କରିବାକୁ ଭୟ କରୁଛନ୍ତି। ପୁଣି ଏହି ସମୟରେ ବିମାନରେ କିଛି ଯାନ୍ତ୍ରିକ ତ୍ରୁଟି ହେଉ କିମ୍ବା ପାଣିପାଗ ଖରାପ ପାଇଁ ବିମାନ ଜରୁରୀ ଅବତରଣ କରୁଥିବା ଖବର ସାମ୍ନାକୁ ଆସୁଛି। ଲୋକେ ଏବେ ବିମାନରେ ଯାତ୍ରା କରିବା ପୂର୍ବରୁ ଅନେକ କଥା ଭାବୁଛନ୍ତି।