ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ସିହୋର ଜିଲ୍ଲାରେ ମୁସଲିମ ସମ୍ପ୍ରଦାୟର ଦୁଇ ଭାଇଙ୍କ ବିରୁଦ୍ଧରେ ଆସିଛି ସଙ୍ଗୀନ ଅଭିଯୋଗ । ସବୁ ସୀମା ଉଲ୍ଲଘଂନ କରିଛନ୍ତି ଉକ୍ତ ଭାଇ । ଜଣେ ହିନ୍ଦୁ ଝିଅକୁ ଗଣ ଦୁଷ୍କର୍ମ କରିବା ପରେ ଧର୍ମ ପରିବର୍ତ୍ତନ କରିବାକୁ ଚାପ ପ୍ରୟୋଗ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଏପରିକି ଯୁବତୀଙ୍କୁ ମନ୍ଦିର ଯିବାକୁ ମଧ୍ୟ ବାରଣ କରିବା ସହିତ କଲମା ପଢ଼ିବାକୁ ବାଧ୍ୟ କରାଯାଇଥିଲା ବୋଲି ସେ କହିଛନ୍ତି । ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ପୋଲିସ ମାମଲା ରୁଜୁ କରି ସମ୍ପୃକ୍ତ ଦୁଇ ଅଭିଯୁକ୍ତ ଭାଇଙ୍କୁ ଗିରଫ କରିଛି ।
ଏସଡିଓପି ପୂଜା ଶର୍ମାଙ୍କ ସୂଚନା ମୁତାବକ, ମଙ୍ଗଳବାର ଦିନ ଯୁବତୀ ଜଣକ ଦୁଇ ଭାଇ ଜୁବୈର ଅନସାରୀ ଓ ସୋଏବ ଅନସାରୀ ଏବଂ ମଲୌନାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ତଦନ୍ତ ପରେ ବୁଧବାର ଦିନ ତିନି ଅଭିଯୁକ୍ତଙ୍କ ବିରୁଦ୍ଧରେ ଧାରା ୩୭୬, ୩୬୩, ୩୬୬, ୩୭୬ (୨ନ), ପୋକ୍ସୋ ଆଇନ ଏବଂ ମଧ୍ୟପ୍ରଦେଶ ଧାର୍ମିକ ସ୍ୱାଧୀନତା ଆଇନ ୨୦୨୧ ଅନୁଯାୟୀ ମାମଲା ରୁଜୁ କରାଯାଇଛି । ଉକ୍ତ ତିନି ଜଣଙ୍କୁ ଗିରଫ କରାଯାଇଛି । ଆଜି ସେମାନଙ୍କୁ କୋର୍ଟରେ ହାଜର କରାଯିବ।
୨୦୨୨ରୁ ଆରମ୍ଭ ହୋଇଛି ଘଟଣା
ପୋଲିସର ସୂଚନା ଅନୁସାରେ ସିହୋର ଜିଲ୍ଲାର ଜନୈକା ଯୁବତୀ ଭୋପାଳରେ ଏକ କଲେଜରେ ଯୁକ୍ତ ତିନି କଳା ବିଭାଗରେ ପାଠ ପଢ଼ନ୍ତି । ଏହି ଘଟଣା ୨୦୨୨ରୁ ଆରମ୍ଭ ହୋଇଛି । ପୀଡ଼ିତାଙ୍କ କହିବା ମୁତାବକ, ସେ ଏବଂ ସମ୍ପୃକ୍ତ ଯୁବକ ଜୁବୈର ମନସୁରୀ ସାମ୍ନାସାମ୍ନିରେ ଘରେ ରୁହନ୍ତି । ଉଭୟଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନ । ଧୀରେ ଧୀରେ ଉଭୟଙ୍କ ମିଳାମିଶା ବଢ଼ିବା ସହିତ ଫୋନରେ ମଧ୍ୟ ବାର୍ତ୍ତାଳାପ କରୁଥିଲେ । କିନ୍ତୁ ଯେତେବେଳେ ଜୁବୈରଙ୍କ ଘରେ କେହି ନ ଥାଆନ୍ତି ସେ ଯୁବତୀଙ୍କୁ ତାଙ୍କ ଘରକୁ ଡାକ୍ତନ୍ତି । ଯୁବତୀ ଜଣକ ଯିବାକୁ ଯେତେବେଳେ ହୋଇଥିଲେ ସେତେବେଳେ ତାଙ୍କୁ ଧମକ ମିଳିଥିଲା । ଯଦି ସେ ନ ଆସନ୍ତି ତେବେ ଫୋନରେ ଉଭୟ କଥା ହୁଅନ୍ତି ବୋଲି ସମସ୍ତଙ୍କୁ କହିଦେବେ ବୋଲି ଜୁବୈର ବାରମ୍ବାର ଧମକ ଦେଇଥିଲା । ୨୦୨୨ ମେ ମାସ, ଧମକରେ ଭୟଭୀତ ହୋଇ ଯୁବତୀ ଜଣକ ତାଙ୍କ ଘରକୁ ଯିବା ପରେ ଜୋର ଜବରଧସ୍ତି ଦୁଷ୍କର୍ମ କରିଥିଲା ଜୁବୈର ।
ଚୁପ ବସି ନ ଥିଲା ଜୁବୈର
ଏହା ପରେ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ବନ୍ଦ ହୋଇଥିଲା । କିନ୍ତୁ ଜୁବୈର ଚୁପ ବସି ନ ଥିଲା । ପୁଣି ଜୁବୈର ଯୁବତୀଙ୍କୁ ଫୋନ କରି ଧମକ ଦେଇଥିଲା । ଯଦି କଥା ନ ହୁଅ ତେବେ ପରିବାର ଲୋକଙ୍କୁ ହତ୍ୟା କରିବା ସହିତ ବଦନାମ କରିଦେବ ବୋଲି ପୁଣି ଧମକ ଦେଇଥିଲା । ଜୁବୈରଙ୍କ ଧମକରେ ଭୟଭୀତ ହୋଇ ଯୁବତୀ ଜଣକ ପୁଣି କଥାବାର୍ତ୍ତା ଆରମ୍ଭ କରିଥିଲେ । କିନ୍ତୁ ପରେ ଜୁବେର ଭାଇ ସୋଏବ ମଧ୍ୟ ଦୁଷ୍କର୍ମ କରିଥିଲା । ସେପ୍ଟେମ୍ବର ୨୦୨୨ ରେ ଜୁବୈର ପୁଣି ଥରେ ବଦନାମ କରିବାର ଧମକ ଦେଇ ତାଙ୍କ ଘରକୁ ଡାକିଥିଲା । ସୋଏବ ଫଟୋ ଭାଇରାଲ କରିଦେବ ବୋଲି ଧମକ ଦେଇ ଅସଦାଚରଣ କରିଚାଲିଥିଲା । ଏହା ପରେ ଅନେକ ଥର ଜୁବୈର ଏବଂ ସୋଏବ ଯୁବତୀଙ୍କ ସମ୍ମତି ବିନା ଶାରୀରିକ ସମ୍ପର୍କ ରଖିଥିଲେ।
ଧର୍ମ ପରିବର୍ତ୍ତନ ପାଇଁ କଲେ ବାଧ୍ୟ
ଖାଲି ସେତିକିରେ କଥା ସରି ନ ଥିଲା । ୨୦୨୪ରେ ଜୁବୈର ଘରକୁ ଡାକି ମସଜିଦରେ ରହୁଥିବା ହାଫିଜ୍ ସାହାବ ଆରିଫ୍ ସହିତ ପରିଚୟ କରାଇଥିଲେ । ସେ ଯୁବତୀଙ୍କ ନାମ ଜୈନବ ମନସୁରୀ ରଖିଥିଲେ । ବାରମ୍ବାର ତାଙ୍କୁ କଲମା ପଢ଼ିବାକୁ ବାଧ୍ୟ କରାଯାଇଥିଲା । ମୌଲବୀ କହିଥିଲେ ଯେ ତୁମେ ମନ୍ଦିର ଯିବା ଉଚିତ୍ ନୁହେଁ, ପୂଜା କର ନାହିଁ, କଲମା ପାଠ କର, ଏହା ଦ୍ୱାରା ତୁମେ ଆମର ରୀତି ନୀତି ଶିଖିବ, ତା’ପରେ ଆମେ ତୁମର ବିବାହ ଜୁବୈରଙ୍କ ସହିତ କରାଇଦେବୁ। ଶେଷରେ ଉପାୟ ଶୂନ୍ୟ ହୋଇ ଯୁବତୀ ଜଣକ ନିଜ ସମ୍ପର୍କୀୟ ଭଉଣୀ ଏବଂ ଭାଇଙ୍କୁ ସବୁକିଛି କହିଥିଲେ । ଏ ନେଇ ଯୁବତୀ ଜଣକ ଅହମଦପୁର ଥାନାର ଦ୍ୱାରସ୍ଥ ହୋଇଥିଲେ । ଜୁବୈର, ସୋଏବ ଏବଂ ହାଫିଜ୍ ସାହାବ ଆରିଫ୍ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ ।