ନୂଆଦିଲ୍ଲୀ: ପାକିସ୍ତାନର ସେନା ପ୍ରମୁଖ ଆସିମ ମୁନୀରଙ୍କ ଆମେରିକା ଗସ୍ତକୁ ନେଇ ଭାରତରେ ରାଜନୀତି ଜୋର ଧରିଛି । ବିରୋଧୀ ଇଣ୍ଡିଆ ମେଣ୍ଟର ସହଯୋଗୀ ଦଳ ଶିବସେନା(ୟୁବିଟି) ପ୍ରଶ୍ନ ଉଠାଇଛି । ଶିବସେନା କହିଛି ଯେ, ମୁନୀର ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମିଟିଂ ଉପରେ ଭାରତ ସରକାରଙ୍କ ପକ୍ଷରୁ କୌଣସି ଜବାବ ମିଳିନାହିଁ । ଏହା ସହିତ ବିରୋଧୀ ଆଶଙ୍କା ପ୍ରକାଶ କରିଛନ୍ତି ଯେ, କଣ ଭାରତରେ କ୍ଷମତା ପରିବର୍ତ୍ତନର ଉଦ୍ୟମ କରୁଛନ୍ତି ଟ୍ରମ୍ପ ।
ଗୁରୁବାର ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ କହିଛନ୍ତି, ଜେନେରାଲ ମୁନୀର ଆଜି ହ୍ୱାଇଟ୍ ହାଉସରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ଭୋଜନ କରିଛନ୍ତି । ତାଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରଣ ଦିଆଯାଇଛି । ଆମେ ଏହା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଓ ଆରଏସଏସ ପ୍ରମୁଖ ମୋହନ ଭାଗବତଙ୍କ ରାୟ ଜାଣିବାକୁ ଚାହୁଁଛୁ । ପହଲଗାମରେ ମହିଳାଙ୍କ ସିନ୍ଦୂର ପୋଛିବାରେ ମୁନୀର ଦାୟୀ ।
ରାଉତ ଏହା ମଧ୍ୟ କହିଛନ୍ତି, ଏହି ଜେନେରାଲ ମୁନୀରଙ୍କୁ ଟ୍ରମ୍ପ ସମ୍ମାନ ଦେଇ ହ୍ୱାଇଟ ହାଉସରେ ତାଙ୍କ ସହ ଡିନର କଲେ । ଏ ପର୍ଯ୍ୟନ୍ତ ଆମ ସରକାରଙ୍କ ଭୂମିକା ସ୍ପଷ୍ଟ ଜଣା ପଡୁନି । ଆପଣ ଯେଉଁ ଅପରେସନ ସିନ୍ଦୂର କଲେ, ଏହା ତାରି ପରିଣାମ । ମୁନୀରଙ୍କୁ ଅତିଥି ଭାବେ ଟ୍ରମ୍ପ ଆମନ୍ତ୍ରଣ କରିବା ଏହା ଆମ ଦେଶ ପାଇଁ ଆଶ୍ଚର୍ଯ୍ୟକର ଘଟଣା । ଟ୍ରମ୍ପ ଅନେକ ଦେଶରେ ହସ୍ତକ୍ଷେପ କରୁଛନ୍ତି ଏବଂ ସରକାର ପରିବର୍ତ୍ତନ ଚାହୁଁଛନ୍ତି । କଣ ସେ ଭାରତରେ ଏମିତି ଚାହୁଁଛନ୍ତି କି ? ମୋତେ ଏହା ଉପରେ ସନ୍ଦେହ ରହିଛି ।
ନିକଟରେ ଟ୍ରମ୍ପ ହ୍ୱାଇଟ ହାଉସରେ ପାକିସ୍ତାନର ସେନା ପ୍ରମୁଖ ଆସିମ ମୁନୀରଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିଲେ । ଟ୍ରମ୍ପ କହିଥିଲେ ଯେ, ସେ ମୁନୀରଙ୍କୁ ଭେଟି ନିଜକୁ ସମ୍ମାନିତ ଅନୁଭବ କରୁଛନ୍ତି । ଏହି ସମୟରେ ସେ ପାକିସ୍ତାନ ଆର୍ମି ଚିଫଙ୍କ ସହ ଇସ୍ରାଏଲ ଓ ଇରାନ ମଧ୍ୟରେ ଜାରି ସଂଘର୍ଷ, ଭାରତ ସହିତ କାରବାର ସମେତ ଅନେକ ପ୍ରସଙ୍ଗରେ ଆଲୋଚନା କରିଥିଲେ ।