ନୂଆଦିଲ୍ଲୀ: ବରିଷ୍ଠ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଅଷ୍ଟ୍ରେଲିଆ ଗସ୍ତରେ ଅଚାନକ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଗ୍ରହଣ କରି ସଭିଙ୍କୁ ଚକିତ କରିଛନ୍ତି । ଏଥିସହ ସିରିଜ ଅଧାରୁ ଭାରତ ଫେରି ଯାଇଛନ୍ତି । ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ୧-୧ରେ ସ୍ଥିତିରେ ରହିଛି । ଚତୁର୍ଥ ଟେଷ୍ଟ ମ୍ୟାଚ୍ ଡିସେମ୍ବର ୨୬ରୁ ଆରମ୍ଭ ହେବ । ଆଉ ଭାରତ ଅବଶିଷ୍ଟ ଦୁଇଟି ଟେଷ୍ଟ ମ୍ୟାଚ୍ ପାଇଁ ଅଶ୍ୱିନଙ୍କ ବଦଳ ଖେଳାଳି ଭାବେ ଧନୁଷ କୋଟିଆନଙ୍କୁ ସାମିଲ କରାଯାଇଛି ।
ମୁମ୍ବାଇରେ ଜନ୍ମିତ କୋଟିଆନ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳି ନାହାନ୍ତି । ସେ ଜଣେ ଅଫ ସ୍ପିନର ବୋଲର । ବିସିସିଆଇ ସୋମବାର କୋଟିଆନଙ୍କୁ ଭାରତୀୟ ଦଳରେ ସାମିଲ କରିଛି । ସେ ୩୩ ପ୍ରଥମ ଶ୍ରେଣୀ କ୍ରିକେଟ୍ ଖେଳି ୨୫.୭୦ ହାରରେ ୧୦୧ ୱିକେଟ୍ ହାସଲ କରିଛନ୍ତି । ସେ ତିନି ଥର ପାଞ୍ଚ ୱିକେଟ୍ ଅକ୍ତିକାର କରିଛନ୍ତି । ଏଥିସହ ବ୍ୟାଟିଂରେ ଦୁଇଟି ଶତକ ଓ ୧୩ ଅର୍ଦ୍ଧଶତକ ହାସଲ କରିଛନ୍ତି ।
କୋଟିଆନ ମୁମ୍ବାଇର ରଣଜୀ ଟ୍ରଫି ୨୦୨୩-୨୪ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଦମଦାର ଅଲରାଉଣ୍ଡର ପ୍ରଦର୍ଶନ ପାଇଁ ତାଙ୍କୁ ପ୍ଲେୟାର ଅଫ ଦ ଟୁର୍ଣ୍ଣାମେଣ୍ଟ ଘୋଷିତ କରାଯାଇଥିଲା । ସେ ଟୁର୍ଣ୍ଣାମେଣ୍ଟରେ ୪୧.୮୩ ହାରରେ ୫୦୨ ରନ କରିବା ସହ ୧୬.୯୬ ହଜାରରେ ୨୯ ୱିକେଟ୍ ନେଇଥିଲେ । ଭାରତୀୟ ଏ ଦଳର ଅଷ୍ଟ୍ରେଲିଆ ଗସ୍ତ ସମୟରେ କୋଟିଆନଙ୍କୁ ୱାଶିଂଟନ ସୁନ୍ଦରଙ୍କ ବଦଳ ଖେଳାଳି ଭାବେ ଦଳରେ ରଖା ଯାଇଥିଲା ।
ବୋର୍ଡ ମୁତାବକ, କୋଟିୟାନଙ୍କୁ ସୁରକ୍ଷା କଭର ଭାବେ ଦଳରେ ରଖାଯାଇଥିଲା । ଯଦି ଅଶ୍ୱିନ କି ଜାଡେଜା ଆହତ ହେଲେ ତାଙ୍କ ସ୍ଥାନରେ କୋଟିୟାନଙ୍କୁ ଦଳରେ ସାମିଲ କରାଯିବ । ଆଉ ଏବେ ଅଶ୍ୱିନଙ୍କ ଅବସର ପରେ କୋଟିୟାନଙ୍କୁ ଆଶାନୁରୂପ ଦଳରେ ସ୍ଥାନ ମିଳିଛି । କୋଟିଆନ ବିଜୟ ହଜାରେ ଟ୍ରଫିରେ ହାଇଦ୍ରାବାଦ ବିପକ୍ଷରେ ମୁମ୍ବାଇ ପାଇଁ ଅପରାଜିତ ୩୯ ରନ କରିବା ସହ ୨ଟି ୱିକେଟ୍ ନେଇଛନ୍ତି ।