ଗଞ୍ଜାମ: ବହୁ ଦିନର ଛକା ପଞ୍ଝାରେ ଶେଷରେ ପୋଲିସ ହାତରେ ଧରାପଡ଼ିଛି କୁଖ୍ୟାତ ଅପରାଧୀ ମଧୁ ବେହେରା । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ପୋଲିସକୁ ବଡ଼ ସଫଳତା ମିଳିଛି । ଦୁର୍ଦ୍ଦାନ୍ତ ଅପରାଧୀ ମଧୁ ବେହେରାକୁ ନାରାୟଣୀ ଜଙ୍ଗଲ ରାସ୍ତାରୁ ପୋଲିସ ଗିରଫ କରିଛି । ମଧୁର ଘର ଗୁଣ୍ଡୁରିପାଲି ଗ୍ରାମରେ ।
ଗତ ୨୦୧୫ ମସିହାରେ ସ୍ୱାଧୀନ ପଲେଇ ହତ୍ୟା ଘଟଣାରେ ମଧୁ ବେହେରା ମୁଖ୍ୟ ଅଭିଯୁକ୍ତ ଥିଲା । ସେ ଜେଲରୁ ଜାମିନରେ ଆସି ଫେରାର ହୋଇଯାଇଥିଲା । ଦୀର୍ଘ ୯ବର୍ଷ ହେବ ପୋଲିସ ଆଖିରେ ଧୂଳି ଦେଇ ମଧୁ ଫେରାର ଥିଲା । ତାକୁ ଧରିବାକୁ ନୂତନ ଭାବେ ଯୋଗ ଦେଇଥିବା ଖଲ୍ଲିକୋଟ ଥାନା ଅଧିକାରୀ ରମେଶ କୁମାର ପ୍ରଧାନଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା ।
ଗତକାଲି ପୋଲିସ ଟିମ୍ ନାରାୟଣୀ ଛକ ରାସ୍ତାରେ ଗାଡ଼ି ଯାଞ୍ଚ କରୁଛିଲା । ଏହି ସମୟରେ ମଧୁ ବାଇକ ନେଇ କେଉଁ ଆଡ଼େ ଯାଉଥିଲା । ପୋଲିସ ମଧୁ ଗାଡ଼ିକୁ ଅଟକାଇଥିଲେ । କିନ୍ତୁ ସେ ପୋଲିସକୁ ଚକମା ଦେଇ ଫେରାର ହେବାକୁ ଚେଷ୍ଟା କରିଥିଲା । ପୋଲିସ ମଧୁକୁ ଧରିବାକୁ ତାର ପିଚ୍ଛା କରିଥିଲା । କିଛି ବାଟ ଯିବା ପରେ ନାରାୟଣୀ ଜଙ୍ଗଲ ରାସ୍ତାରେ କାବୁ କରିବାରେ ସଫଳ ହୋଇଥିଲା ପୋଲିସ । ତା ନିକଟରୁ ଗୋଟିଏ ପିସ୍ତଲ ଏବଂ ୩ ରାଉଣ୍ଡ ଗୁଳି ସମେତ ଗୋଟିଏ ବାଇକ ଜବତ କରାଯାଇଛି । ତା ନାଁରେ ବିଭିନ୍ନ ଥାନାରେ ହତ୍ୟା, ହତ୍ୟା ଉଦ୍ୟମ, ଡକାୟତି, ରାହାଜାନି, ବୋମିଂ ଭଳି ୧୭ଟି ମାମଲାର ରହିଥିବା ଜଣାପଡ଼ିଛି । ପୋଲିସ ତାକୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି ।