ବାଲେଶ୍ୱର: ବ୍ରାଉନସୁଗାର ଜବତ କରିବାକୁ ଯାଇଥିବାବେଳେ ଅବକାରୀ ବିଭାଗ ଟିମକୁ ହଟହଟା ହେବାକୁ ପଡ଼ିଛି । ବାଲେଶ୍ୱର ଜିଲ୍ଲା ଜଳେଶ୍ଵର ଅବକାରୀ ସେଟାଲାଇଟ ଟିମ୍ କମର୍ଦା ବଜାର ନିକଟରେ ବ୍ରାଉନସୁଗାର କାରବାର ନେଇ ଚଢ଼ାଉ କରିବା ସମୟରେ ଉତ୍ତେଜନା ପ୍ରକାଶ ପାଇଛି ।
କମର୍ଦା ବଜାର ନିକଟରେ ବ୍ରାଉନସୁଗାର କାରବାର ନେଇ ଅବକାରୀ ସାଟେଲାଇଟ ଜଣଙ୍କ ଘରେ ଆଜି ସକାଳେ ଚଢ଼ାଉ କରିଥିଲା । ଏହି ସମୟରେ ଅବକାରୀ ବିଭାଗ ଘର ଜଣେ ବୃଦ୍ଧା ମହିଳାଙ୍କୁ ସାଥିରେ ନେଇ ଯାଉଥିବା ସମୟରେ ଉତ୍ତେଜନା ପ୍ରକାଶ ପାଇଛି । ସ୍ଥାନୀୟ ଲୋକମାନେ ପୋଲିସ ଟିମକୁ ଘେରି ଯାଇଛନ୍ତି । ଏହା ସହିତ ଅବକାରୀ ବିଭାଗର ଗାଡ଼ିକୁ ମଧ୍ୟ ଅଟକାଇ ଚାବି ଛଡ଼ାଇ ନେଇଛନ୍ତି ।
ଅନ୍ୟପକ୍ଷରେ ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ମହିଳାଙ୍କ ପାଖରୁ କୌଣସି ବ୍ରାଉନସୁଗାର ଜବତ କରାଯାଇ ନାହିଁ । ବରଂ ମୁଲତାନ୍ ମାଟିକୁ ବ୍ରାଉନସୁଗାର ଦର୍ଶାଇ ଗିରଫ କରାଯାଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ସେମାନ ଖାଲି ମଦ ବ୍ୟବସାୟ କରନ୍ତି ବ୍ରାଉନ ସୁଗାର ବ୍ୟବସାୟ କରନ୍ତି ନାହିଁ । ଯଦି ଅବକାରୀ ବିଭାଗକୁ ବ୍ରାଉନ ସୁଗାର ମିଳିଛି ତାହା ସର୍ବସମ୍ମୁଖରେ ଦେଖାନ୍ତୁ ବୋଲି ସେମାନେ ଦାବି କରିଛନ୍ତି ।
ଉତ୍ତେଜନା ପ୍ରକାଶ ପାଇବା ପରେ ସ୍ଥାନୀୟ ପୋଲିସ ଟିମ୍ ମଧ୍ୟ ଘଟଣା ସ୍ଥଳରେ ପହଁଚିଛି । ଲୋକମାନଙ୍କୁ ବୁଝାସୁଝା କରିବା ସହିତ ଘଟଣାର ଯାଞ୍ଚ କରୁଛି ।