ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ନମନ ଓଝାଙ୍କ ବାପା ବିନୟ ଓଝାଙ୍କୁ ଟଙ୍କା ହଡପ ମାମଲାରେ କୋର୍ଟ ସାତ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି । ଏଥିସହ ସାତ ଲକ୍ଷ ଟଙ୍କାର ଜରିମାନା ମଧ୍ୟ ଲଗାଇଛନ୍ତ । ଏହି ମାମଲାରେ ମୋଟ୍ ଚାରି ଜଣଙ୍କୁ ସଜା ମିଳିଛି । ୨୦୧୩ରେ ମଧ୍ୟପ୍ରଦେଶର ଜୌଲଖେଡା ସ୍ଥିତ ବ୍ୟାଙ୍କ ଅଫ ମହାରାଷ୍ଟ୍ର ଶାଖାରୁ ଅର୍ଥ ହଡପ ମାମଲା ସାମ୍ନାକୁ ଆସିଥିଲା ।
୨୦୧୩ରେ ମୋଟ୍ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଶେଷରେ ୧୧ ବର୍ଷ ପରେ କୋର୍ଟ ଅର୍ଥ ତୋଷାରପାତ ମାମଲାର ମାଷ୍ଟର ମାଇଣ୍ଡ କୁହାଯାଉଥିବା ଅଭିଷେକ ରତନାମଙ୍କୁ ମଧ୍ୟ ଦୋଷୀ ସାବ୍ୟସ୍ତ ପରେ ୧୦ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି । ତାଙ୍କ ଉପରେ ୮୦ ଲକ୍ଷ ଟଙ୍କାର ଜରିମାନ ଲଗାଯାଇଛି । ବିନୟ ଓଝା ସେହି ସମୟରେ ଉକ୍ତ ବ୍ୟାଙ୍କରେ ସହାୟକ ପ୍ରବନ୍ଧକ ପଦରେ ଥିଲେ । ସେ ଦୋଷୀ ସାବ୍ୟସ୍ତ ହେବା ପରେ କୋର୍ଟ ତାଙ୍କୁ ସାତ ବର୍ଷ ଜେଲ୍ ଦଣ୍ଡ ସହ ସାତ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି । ମଧ୍ୟସ୍ଥ ଭୂମିକାରେ ଥିବା ଧନରାଜ ପାୱାର ଓ ଲଖନ ହିଙ୍ଗବେଙ୍କୁ ସାତ ବର୍ଷ ଜେଲ୍ ଦଣ୍ଡ ସହ ସାତ ଲକ୍ଷ ଟଙ୍କାର ଜରିମାନା ଭରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ଘଟଣାର ମାଷ୍ଟର ମାଇଣ୍ଡ ଅଭିଷେକ ରତନାମ ବ୍ୟାଙ୍କର କର୍ମଚାରୀଙ୍କ ପାସୱାର୍ଡ ବ୍ୟବହାର କରି ଅର୍ଥ ହଡପ କରିଥିଲା । ମାମଲାର ତଦନ୍ତ ଆରମ୍ଭ ହେବାପରେ ଜଣା ପଡିଥିଲା ଯେ, ନମନ ଓଝାଙ୍କ ବାପ ବିନୟ ଓଝା ବ୍ୟାଙ୍କ ମହାରାଷ୍ଟ୍ରର ଏହି ଶାଖାରେ କାମ କରୁଥିଲେ । ଏହି ଅର୍ଥ ହରିଲୁଟ ମାମଲାରେ ତାଙ୍କର ସିଧାସଳଖ ସଂପୃକ୍ତି ଥିବା ତଦନ୍ତରୁ ଜଣା ପଡିଥିଲା । ତଦନ୍ତ ପ୍ରକ୍ରିୟା ଲମ୍ବା ଚାଲିଥିଲା ଏବଂ ଏହି ସମୟରେ ଉକ୍ତ ଶାଖାରେ କ୍ୟାସିୟର ପଦରେ ରହିଥିବା ଦୀନନାଥ ରାଠୋରଙ୍କ ପରଲୋକ ଘଟିଥିଲା ।
ଓକିଲ ବିଶାଲ କୋଡାଲେ କହିଛନ୍ତି ଯେ, ଅଭିଷେକ ରତନାମ ଓ ବିନୟ ଓଝା ନିଜର ଏଜେଣ୍ଟ ଜରିଆରେ ନକଲି ଆକାଉଣ୍ଟ ଖୋଲି ଏହା ମାଧ୍ୟମରେ ଏକ କୋଟି ୨୫ ଲକ୍ଷ ଟଙ୍କା ହଡପ କରିଥିଲେ । କୋର୍ଟ ୬ ଜଣଙ୍କ ମଧ୍ୟରୁ ଚାରି ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଆଉ ଆଜି ଦଣ୍ଡ ଶୁଣାଣି ହୋଇଛି ।