ନୂଆଦିଲ୍ଲୀ: ଆସନ୍ତାକାଲିଠୁ ମେଲବର୍ଣ୍ଣରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବକ୍ସିଂ ଡେ ଟେଷ୍ଟ ଆରମ୍ଭ ହେଉଛି । ଏହି ମ୍ୟାଚ୍ ଦୁଇ ଦଳ ପାଇଁ ବହୁତ ମହତ୍ୱପୂର୍ଣ୍ଣ ରହିଛି । ବିଶେଷ କରି ଭାରତ ପାଇଁ ଏହି ମ୍ୟାଚ୍ ଜିତିବା ଜରୁରୀ । ତେବେ ସିରିଜର ଚତୁର୍ଥ ଟେଷ୍ଟରେ ଭାରତୀୟ ଦଳ କେଉଁ ଚୂଡାନ୍ତ ଏକାଦଶକୁ ନେଇ ମଇଦାନକୁ ଓହ୍ଲାଇବ ତା ଉପରେ ସଭିଙ୍କ ନଜର । ସୂଚନା ଅନୁଯାୟୀ, ଭାରତୀୟ ଦଳ ଦୁଇ ସ୍ପିନର ସହ ମଇଦାନକୁ ଓହ୍ଲାଇପାରେ । ଏମିତି ହେଲେ ଦ୍ରୁତ ବୋଲର ଅଲରାଉଣ୍ଡର ନୀତିଶ ରେଡ୍ଡୀଙ୍କୁ ବେଞ୍ଚରେ ବସିବାକୁ ପଡିପାରେ ।
ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ଭାରତୀୟ ଦଳ ମେଲବର୍ଣ୍ଣ ଟେଷ୍ଟରେ ଦୁଇ ଜଣ ସ୍ପିନରଙ୍କୁ ସାମିଲ କରିପାରେ । ଏହି କାରଣରୁ ନୀତିଶ କୁମାର ରେଡ୍ଡୀଙ୍କୁ ଚୂଡାନ୍ତ ଏକାଦଶରୁ ବାଦ୍ ଦିଆଯାଇପାରେ । ଏହା ପୂର୍ବରୁ ବ୍ରିସବେନର ଗାବାରେ ଖେଳା ଯାଇଥିବା ତୃତୀୟ ଟେଷ୍ଟରେ ଏକମାତ୍ର ସ୍ପିନର ଭାବେ ରବୀନ୍ଦ୍ର ଜାଡେଜାଙ୍କୁ ସ୍ଥାନ ମିଳିଥିଲା । ତେବେ ମେଲବର୍ଣ୍ଣ ଟେଷ୍ଟରେ ଦ୍ୱିତୀୟ ସ୍ପିନର ଭାବେ ୱାଶିଂଟନ ସୁନ୍ଦରଙ୍କୁ ସ୍ଥାନ ମିଳିପାରେ । ତେବେ ଏହି ପରିବର୍ତ୍ତନକୁ ନେଇ ଆନୁଷ୍ଠାନିକ ଘୋଷଣା ହୋଇନି ।
ଋିପୋର୍ଟ ଅନୁଯାୟୀ, ଘାସ ଥିବା ଏହି ପିଚରେ ସମୟ ଗଡିବା ସହ ପିଚ୍ ଶୁଖିଲା ପଡିବ । ଏଥିରେ ସୁନ୍ଦରଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିପାରେ । ରୋହିତ ଶର୍ମା ସାମ୍ବାଦିକ ସମ୍ମିଳନୀରେ ଏହାକୁ ନେଇ କୌଣସି ସ୍ପଷ୍ଟ ଉତ୍ତର ରଖି ନାହାନ୍ତି । ରୋହିତ କହିଛନ୍ତି, ଆମେ କଣ୍ଡିସନ ହିସାବରେ ଚୂଡାନ୍ତ ଏକାଦଶ ଚୟନ କରିବୁ ।
ଏ ପର୍ଯ୍ୟନ୍ତ ବର୍ଡର-ଗାଭାସ୍କର ଟ୍ରଫିରେ ତିନୋଟି ମ୍ୟାଚ୍ ଖେଳି ସାରିଥିବା ନୀତିଶ କୁମାର ରେଡ୍ଡୀ ୫ଟି ଇନିଂସରେ ବ୍ୟାଟିଂ ୪୪.୭୫ ହାରରେ ୧୭୯ ରନ କରିଛନ୍ତ୍ି । ସିରିଜରେ ସର୍ବାଧିକ ରନ ହାସଲକାରୀ ବ୍ୟାଟର ତାଲିକାରେ ସେ ଚତୁର୍ଥ ସ୍ଥାନରେ ଅଛନ୍ତି । ବୋଲିଂରେ ନୀତିଶ ୩ଟି ମ୍ୟାଚରେ ୪୧ ହାରରେ ୭ଟି ୱିକେଟ୍ ନେଇଛନ୍ତି ।