ଭୁବନେଶ୍ୱର: ମଣ୍ଡିରେ ଧାନ ପଡ଼ିଥିବା ସମୟରେ ରାଜ୍ୟରେ ଲଘୁଚାପ ବର୍ଷା ହୋଇ ଚିନ୍ତା ବଢ଼ାଇଛି । ତେବେ ଧାନର ମାନ କମ୍ ହେବା ନେଇ ଆଶା ଆଶଙ୍କାରେ ରହିଛନ୍ତି ଚାଷୀ । ତେବେ ଚାଷୀଙ୍କ ଚିନ୍ତାକୁ ଦୂର କରି ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଧାନର ଧାନର FAQ ମାନ କମ୍ ଥିଲେ ବି ସରକାର ଧାନ କିଣିବେ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।
ଯୋଗାଣ ମନ୍ତ୍ରୀ କହିଛନ୍ତି, ବର୍ଷା ପାଇଁ ମଣ୍ଡି ଖୋଲିବାରେ ଟିକେ ବିଳମ୍ବ ହେଉଛି । କିନ୍ତୁ ବର୍ଷା ପାଇଁ ଆଗୁଆ ମଣ୍ଡି ଖୋଲିବ ନାହିଁ । ଯେଉଁମାନେ ଧାନ ବିକ୍ରି କରି ପାରି ନାହାଁନ୍ତି ସେମାନଙ୍କୁ ଅତିରିକ୍ତ ୧୫ ଦିନ ସମୟ ଦିଆଯିବ । ସେମାନେ ଓଦା ଧାନକୁ ଶୁଖାଇ ଧାନ ମଣ୍ଡିରେ ଆଣି ବିକ୍ରି କରିପାରିବେ । ସେମାନଙ୍କୁ ତୁରନ୍ତ ଟଙ୍କା ପ୍ରଦାନ କରାଯିବ । କ୍ୱାଲିଟି କମ୍ ଥିଲେ ବି କମ୍ପରମାଇଜ୍ କରାଯିବ । ସେମାନଙ୍କ ଧାନକୁ କିଣାଯିବା ବୋଲି ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ମନ୍ତ୍ରୀ । କାହାକୁ ବି ନିରାଶ କରାଯିବ ନାହିଁ । ଏପର୍ଯ୍ୟନ୍ତ ସାଢ଼େ ୭ ଲକ୍ଷ ମେଟ୍ରିକ୍ ଟନ୍ ଧାନ ବିକ୍ରି ହୋଇ ସାରିଲାଣି । ଦେଢ଼ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି । କିନ୍ତୁ ଏ ଯାଏଁ ଗୋଟିଏ ବି ଅଭିଯୋଗ ଆସିନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଲଘୁଚାପ ଜନିତ ବର୍ଷା ପାଇଁ ବିଭିନ୍ନ ସ୍ଥାନରେ ମଣ୍ଡିରେ ଧାନ ବିକ୍ରି ବାଧାପ୍ରାପ୍ତ ହୋଇଥିଲା । ମଣ୍ଡିରେ ଚାଷୀମାନେ ଧାନକୁ ପାଲ ଘୋଡ଼ାଇ ରଖିଥିଲେ । ଏହା ସହିତ କିଛି ସ୍ଥାନରେ ମଧ୍ୟ ମଣ୍ଡି ମଧ୍ୟ ଖୋଲି ପାରିନ ଥିଲା ।