ଭୁବନେଶ୍ୱର : ୭୫ ବର୍ଷରେ ଇତିହାସରେ ପ୍ରଥମ ଥର ପାଇଁ ଓଡିଶା ଏନସିସି କଣ୍ଟିଜେଣ୍ଟ ଦିଲ୍ଲୀର ରାଜପଥରେ ପ୍ରତିନିଧିତ୍ୱ କରିବ । ଆସନ୍ତା ଜାନୁଆରୀ ୨୬ ତାରିଖ ୭୬ ତମ ସାଧାରଣତନ୍ତ୍ର ଦିବସ ପରେଡ଼ରେ ଓଡ଼ିଶା ନିର୍ଦ୍ଦେଶାଳୟର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନସିସି) କଣ୍ଟିଜେଣ୍ଟ ରାଜ୍ୟର ପ୍ରତିନିଧିତ୍ୱ କରିବ । ରାଜ୍ୟ ସରକାରଙ୍କ ସହଯୋଗରେ ମନୋନୀତ ଏନସିସି କ୍ୟାଡେଟ୍ ମାନେ ବିମାନ ଯୋଗେ ସାଧାରଣତନ୍ତ୍ର ଦିବସ ପରେଡ଼ରେ ଯୋଗ ଦେବାକୁ ନୂଆଦିଲ୍ଲୀ ଯାତ୍ରା କରିବେ । ଏହି ଐତିହାସିକ ଯାତ୍ରା ଦ୍ବାରା ଦେଶର ତୃତୀୟ ରାଜ୍ୟ ଭାବରେ ଆମ ରାଜ୍ୟ ଓଡିଶା ପରିଗଣିତ ହେବ ।
ଆମ ଦେଶର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ସାମରିକ ଦକ୍ଷତାର ଏକ ସଂପୂର୍ଣ୍ଣ ମିଶ୍ରଣକୁ ବହନ କରି ନିଜର ପ୍ରତିନିଧିତ୍ୱ କରିବ । “ସୁବର୍ଣ୍ଣ ଭାରତ: ଐତିହ୍ୟ ଏବଂ ବିକାଶ” ବିଷୟବସ୍ତୁ ଉପରେ ଆଧାରିତ ଚଳିତ ବର୍ଷର ଗଣତନ୍ତ୍ର ଦିବସ କ୍ୟାଡେଟମାନଙ୍କ ମଧ୍ୟରେ ଦେଶପ୍ରେମ, ଶୃଙ୍ଖଳା, ଅନୁଶାସନ, ନେତୃତ୍ୱଗୁଣ, ଭାତୃତ୍ଵଭାବ, ଦେଶପ୍ରେମର ଭାବ ଜାଗ୍ରତ କରିବ ।
ଏହି ପରିପ୍ରେକ୍ଷୀରେ ଚଳିତବର୍ଷ ଓଡ଼ିଶା ଏନସିସି ନିର୍ଦ୍ଦେଶାଳୟ ଦ୍ଵାରା ତାଲିମ୍ ଶିବିରର ଅୟୋଜନ କରାଯାଇ ବିଭିନ୍ନ ପର୍ଯ୍ୟାୟରେ ଓଡ଼ିଶାର ୬୩,୦୦୦ ଏନସିସି କ୍ୟାଡେଟ୍ ମାନଙ୍କ ମଧ୍ୟରୁ ୧୨୭ ଜଣଙ୍କୁ ଗଣତନ୍ତ୍ର ଦିବସ ପରେଡ଼ରେ ଯୋଗଦେବା ପାଇଁ ମନୋନୀତ କରାଯାଇଛି । ଦୀର୍ଘ ୩୦ ଦିନ ଧରି ଚାଲିଥିବା ପ୍ରଶିକ୍ଷଣ ଶିବିରରେ ସେମାନଙ୍କୁ ଡ୍ରିଲ୍, ବିଭିନ୍ନ ସାଂସ୍କୃତିକ ପ୍ରତିଯୋଗିତା, ଜାତୀୟ ଏକୀକରଣ ସଚେତନତା କାର୍ଯ୍ୟକ୍ରମ ,ଫ୍ଲାଗ ଏରିଆ ପ୍ରତିଯୋଗିତା ପାଇଁ ତାଲିମ୍ ଦିଆଯାଉଛି । ଓଡ଼ିଶା ଏନସିସି କଣ୍ଟିଜେଣ୍ଟ କେବଳ ରାଜ୍ୟର କଳା, ସଂସ୍କୃତିର ଉତ୍କର୍ଷତାକୁ ପ୍ରତିନିଧିତ୍ୱ କରିବ ନାହିଁ ବରଂ ଏହାର ରାଜ୍ୟର ସମୃଦ୍ଧ ପରମ୍ପରାକୁ ଦିଲ୍ଲୀର ରାଜପଥରେ ପ୍ରତିଫଳିତ କରିବ । ଯୁବ କ୍ୟାଡେଟ୍ ମାନଙ୍କର ଲୁକ୍କାୟିତ ପ୍ରତିଭାକୁ ପ୍ରୋତ୍ସାହିତ କରିବା ସହ ଯୁବ ସଶକ୍ତିକରଣ ଦିଗରେ ରାଜ୍ୟ ସରକାର ଓ ଏନସିସି ନିର୍ଦ୍ଦେଶାଳୟର ଉଦ୍ୟମ ବେଶ୍ ପ୍ରଶଂସନୀୟ ହୋଇପାରିଛି । ଏହି କ୍ୟାଡେଟ୍ ମାନେ ପ୍ରଧାନମନ୍ତ୍ରୀଙ୍କ ରାଲି ତଥା ସାଂସ୍କୃତିକ ପ୍ରତିଯୋଗିତା ସମେତ ଅନେକ ସମ୍ମାନଜନକ କାର୍ଯ୍ୟକ୍ରମରେ ଶୃଙ୍ଖଳିତ ଭାବରେ ଅଂଶଗ୍ରହଣ କରି ଓଡିଶାକୁ ଜାତୀୟ ସ୍ତରରେ ଗୌରବାନ୍ୱିତ କରିବେ ।