ଭୁବନେଶ୍ୱର: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢ଼ାଉ ନେଇ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଙ୍ଗଳବାର ସ୍ପଷ୍ଟ କରିଛନ୍ତି । ତାଙ୍କ ବିଷୟରେ ନୁହେଁ ବରଂ ତାଙ୍କ ଭାଇ ଏବଂ ପୁଅର ବ୍ୟବସାୟ ସମ୍ପର୍କରେ ଇଡି ରେଡ୍ କରିଥିଲା ବୋଲି କହିଛନ୍ତି ନିରଞ୍ଜନ ।
ନିରଞ୍ଜନ ପଟ୍ଟନାୟକ ଇଡି ରେଡ୍ ନେଇ ମୁହଁ ଖୋଲିଛନ୍ତି । ସେ କହିଛନ୍ତି, ଇଡି ତାଙ୍କ କାମ କରୁଛନ୍ତି । ତାଙ୍କୁ କୌଣସି ପଚରା ଉଚରା କରାଯାଇ ନାହିଁ । ଚଢ଼ାଉ ବେଳେ ତାଙ୍କ ଘରୁ କୌଣସି କାଗଜପତ୍ର ନେଇ ନାହାନ୍ତି । ତାଙ୍କ ଭାଇ ଓ ପୁଅର ବ୍ୟବସାୟ ନେଇ ତଦନ୍ତ କରାଯାଇଥିବା ବୋଲି ସେ ସ୍ପଷ୍ଟ କରିଛନ୍ତି । ତାଙ୍କ ବିଷୟରେ କିଛି ନାହିଁ । ଇଡି ୧୦ ଘଣ୍ଟା ଧରି ଚଢ଼ାଉ କରିଥିଲା । କାହିଁକି ରେଡ୍ ହୋଇଥିଲା ସେ କଥା ଇଡି କହି ପାରିବ ବୋଲି କହିଛନ୍ତି ନିରଞ୍ଜନ ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ୨୦ ତାରିଖ ଦିନ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଭୁବନେଶ୍ୱର ନୟାପଲ୍ଲୀସ୍ଥିତ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢ଼ାଉ କରିଥିଲା । ପାଖାପାଖି ୧୦ ଘଣ୍ଟା ଧରି ରେଡ୍ କରାଯାଇଥିଲା । ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ବାସଭବନ ସମେତ ଇଡି ତିନୋଟି ସ୍ଥାନରେ ଚଢଉ କରିଥିଲା । ତେବେ କେଉଁ କାରଣ ପାଇଁ ଚଢ଼ାଉ କରାଯାଇଥିଲା ସେ ନେଇ କିଛି ସୂଚନା ଦିଆଯାଇ ନ ଥିଲା ।