ଅନୁଗୁଳ: ସମ୍ବଲପୁର ପରେ ଅନୁଗୁଳ ଜିଲ୍ଲାରେ ପାଇଖାନା ଟାଙ୍କି ପୁଣି ଶ୍ରମିକଙ୍କ ଜୀବନ ନେଇଛି । କିଶୋରନଗର ଥାନା ଧଉରାପାଲି ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ପାଇଖାନା ଟାଙ୍କିରେ କାମ କରୁଥିବାବେଳେ ଶ୍ୱାସରୁଦ୍ଧ ହୋଇ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ପୁରୁଷ ରହିଛନ୍ତି । ମହିଳାଙ୍କ ନାଁ ରୀନା ମାହାର ଓ ପୁରୁଷଙ୍କ ନାଁ ଆରତ ମିର୍ଧା ବୋଲି ଜଣାପଡ଼ିଛି । ପାଇଖାନା ଟାଙ୍କିରେ ପଶି ସେଣ୍ଟ୍ରିଂ ଖୋଳୁଥିବା ସମୟରେ ଅସୁସ୍ଥ ହୋଇପଡ଼ିଥିଲେ । ଏହା ପରେ ସେମାନଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ଶନିବାର ଦିନ ସମ୍ବଲପୁର ଜିଲ୍ଲା ଯମନକିରା ଥାନା ପୁକୁଡ଼ା ଗାଁରେ ଶ୍ୱାସରୁଦ୍ଧ ହୋଇ ତିନି ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିଲା । ନିର୍ମାଣାଧୀନ ପାଇଖାନା ଟାଙ୍କିର ସେଣ୍ଟ୍ରିଂ କାମ କରୁଥିବା ବେଳେ ଶ୍ରୀକାନ୍ତ ମୁଣ୍ଡା, ଭରତ ରଣା ଓ ବସନ୍ତ ଦେହୁରୀଙ୍କର ମୃତ୍ୟୁ ହୋଇଥିଲା । ଆଉ ଜଣେ ଗୁରୁତର ସିଦ୍ଧାର୍ଥ ମୁଣ୍ଡା ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ ।