ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳରେ ହାତୀ ଆକ୍ରମଣ ମାମଲା ବଢ଼ିବାରେ ଲାଗିଛି । ହାତୀ ଆକ୍ରମଣରେ ଚାଲି ଯାଉଛି ଦୁର୍ମୂଲ୍ୟ ଜୀବନ । ଶନିବାର ସକାଳୁ ସକାଳୁ ପୁଣି ଜଣଙ୍କର ହାତୀ ଆକ୍ରମଣରେ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ହିନ୍ଦୋଳ ବ୍ଲକ ମହାଲୁଣ୍ଡା ପଞ୍ଚାୟତ ଟାଙ୍ଗିଶାଳ ଗ୍ରାମର ସୁଧାକର ସାମଲ (୫୬ବର୍ଷ) । ଶରୀରର ପୁରା ଦୁଇ ଗର ହୋଇଯାଇଥିବା ଜଣାପଡ଼ିଛି ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ସୁଧାକର ଶୁକ୍ରବାର ସକାଳେ ବିଲକୁ ଯାଇଥିଲେ। କିନ୍ତୁ ସନ୍ଧ୍ୟା ବେଳକୁ ଆଉ ଘରକୁ ଫେରି ନ ଥିଲେ । ପରିବାର ଲୋକେ ଗତକାଲି ବିଳମ୍ବିତ ରାତି ଯାଏଁ ବହୁତ ଖୋଜାଖୋଜି କରିବା ପରେ ସୁଧାକରଙ୍କୁ ପାଇନଥିଲେ । ହେଲେ ଆଜି ସକାଳେ ପରିବାର ଲୋକେ ବିଲକୁ ଯାଇ ଖୋଜିବା ପରେ ସୁଧାକରଙ୍କ ଖଣ୍ଡ ବିଖଣ୍ଡ ମୃତଦେହ ଉଦ୍ଧାର କରିଥିଲେ । ତାଙ୍କ ଶରୀରୁ ମୁଣ୍ଡ ଗଣ୍ଡି ଅଲଗା ହୋଇଯାଇଥିବା ଦେଖିବାକୁ ମିଳିଛି । ମୃତ ଦେହ ନିକଟରେ ହାତୀ ପାଦ ଚିହ୍ନ ଦେଖିବାକୁ ମିଳିଛି । ତେଣୁ ହାତୀ ଆକ୍ରମଣରେ ସୁଧାକରଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।
ଏହା ସ୍ଥାନୀୟ ଭୟ ଏବଂ ଆତଙ୍କ ଖେଳି ଯାଇଛି । ଏହା ସହିତ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏସମ୍ପର୍କରେ ଖବର ପାଇ ବନ ଅଧିକାରୀ ତଦନ୍ତ ଆରମ୍ଭ କରିଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ଗୁରୁବାର ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ରାସୋଳ ସେକ୍ସନରେ ହାତୀ ଆକ୍ରମଣରେ ଦେଢଶୂର ଓ ଭାଇବୋହୂଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଥିଲା । ମୃତକମାନେ ହେଲେ ବାଘଧରିଆ ଗ୍ରାମର ମୃତକ ହେଲେ ଝୁଲଣ ଦେହୁରୀ , କରୁଣାକର ଦେହୁରୀ ଏବଂ ଶଶୀ ସାହୁ ।