ମାଲକାନଗିରି: ରାଜ୍ୟର ପ୍ରତିଷ୍ଠିତ ଆଇନଜୀବୀ ତଥା ଓଡ଼ିଶା ବାର୍ କାଉନସିଲର ସଦସ୍ୟ ବିଭୁପ୍ରସାଦ ତ୍ରିପାଠୀ ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ସଭାପତିଭାବେ ନିର୍ବାଚିତ ହୋଇଛନ୍ତି । ସେହିପରି ରାଇରଙ୍ଗପୁର ବାରର ଆଇନଜୀବୀ ସଂଜୀବ ମହାନ୍ତି ସାଧାରଣ ସମ୍ପାଦକଭାବେ ନିର୍ବାଚିତ ହୋଇଛନ୍ତି । ଏ ନେଇ ନିର୍ବାଚନ ଅଧିକାରୀ ଗୁରୁ ପ୍ରସାଦ ମହାନ୍ତି ଘୋଷଣା କରିଛନ୍ତି ।
ମାଲକାନଗିରିରେ ଆୟୋଜିତ ସଂଘର ୫୩ ତମ ବାର୍ଷିକ ଅଧିବେଶନରେ ଓଡ଼ିଶା ଆଇନଜୀବୀମାନଙ୍କ ସର୍ବବୃହତ ଓ ସର୍ବ ପୁରାତନ ସଙ୍ଗଠନ ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଛି । ବିଭୁପ୍ରସାଦ ତ୍ରିପାଠୀ ୨ ବର୍ଷ ପର୍ଯ୍ୟନ୍ତ ସଭାପତି ପଦରେ ରହିବେ । ସଭାପତିଭାବେ ନିର୍ବାଚିତ ହେବା ପରେ ଶ୍ରୀ ତ୍ରିପାଠୀ କହିଛନ୍ତି, ଓକିଲମାନଙ୍କ ସୁରକ୍ଷା ଆଇନ ଓ ଆଡଭୋକେଟ୍ ଏକାଡେମୀ ପ୍ରତିଷ୍ଠା କରାଇବାକୁ ପ୍ରାଥମିକତା ଦେବେ ବୋଲି କହିଛନ୍ତି । ନିଖିଳ ଓଡ଼ିଶା ଆଇନଜୀବୀ ସଂଘରେ କୌଣସି ବିଭାଜନ ହୋଇନାହିଁ । ଆଗାମୀ ବର୍ଷଠାରୁ ସଂଘର ବାର୍ଷିକ ଅଧିବେଶନ, ଗୋଟିଏ ସ୍ଥାନରେ କରିବାକୁ ସେ ସମସ୍ତ ସଭ୍ୟମାନଙ୍କୁ ଅନୁରୋଧ କରିଛନ୍ତି ।
ଅନ୍ୟପକ୍ଷରେ ସାଧାରଣ ସମ୍ପାଦକଭାବେ ୨ ଥର ଦାୟିତ୍ୱ ନିର୍ବାହ କରିଛନ୍ତି ଆଇନଜୀବୀ ସଂଜୀବ ମହାନ୍ତି । ସେହିପରି ଏହି କମିଟିକୁ ୭୫ ଜଣ ଆଇନଜୀବୀ ଭିନ୍ନ ଭିନ୍ନ ପଦରେ ନିର୍ବାଚିତ ହୋଇଛନ୍ତି ।