ଭୁବନେଶ୍ୱର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପାଠ୍ୟକ୍ରମରେ ଆଜିଠାରୁ ନାମଲେଖା ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଛାତ୍ରଛାତ୍ରୀମାନେ ଷ୍ଟୁଡେଣ୍ଡ୍ ଏକାଡେମିକ୍ ମ୍ୟାନେଜମେଣ୍ଟ ସିଷ୍ଟମ୍ (SAMS) ପୋର୍ଟାଲରେ ଆବେଦନ କରି ପାରିବେ । ଅପରାହ୍ନ ୨ଟାରୁ ପୋର୍ଟାଲ୍ ଖୋଲିବ । କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକରେ ମେ ୨୪ରୁ ଜୁନ୍ ୩୦ ତାରିଖ ଯାଏଁ ଅନଲାଇନରେ ଆବେଦନ ହେବ । ଛାତ୍ରଛାତ୍ରୀମାନେ ନିଜ ମନପସନ୍ଦର କଲେଜରେ ନାମଲେଖାଇବା ପାଇଁ ଆବେଦନ କରିବେ ।
ଜୁଲାଇ ୭ ତାରିଖରେ ପ୍ରଥମ ପର୍ୟ୍ୟାୟ ମେଧା ତାଲିକା (ମେରିଟ୍ ଲିଷ୍ଟ) ପ୍ରକାଶ ପାଇବ । ଏଥିରେ ଯୋଗ୍ୟ ବିବେଚିତ ଛାତ୍ରା ଜୁଲାଇ ୮ରୁ ୧୪ ଯାଏଁ ନାମଲେଖା ପ୍ରକ୍ରିୟା ଚାଲିବ । ସେହିପରି ଜୁଲାଇ ୨୧ରେ ଦ୍ୱିତୀୟ ପର୍ୟ୍ୟାୟ ମେଧା ତାଲିକା ପ୍ରକାଶ ପାଇବ । ଜୁଲାଇ ୨୩ରୁ ୨୮ ମଧ୍ୟରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀମାନେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନରେ ରିପୋର୍ଟିଂ କରିବା ସହିତ ନାମଲେଖାଇବେ । ଜୁଲାଇ ୨୯ରେ ଶିକ୍ଷାନୁଷ୍ଠାନ ଗୁଡ଼ିକ ସାମ୍ସ ଇ-ସ୍ପେସରେ ସମସ୍ତ ତଥ୍ୟ ଦାଖଲ କରିବେ । ଏହା ପରେ ବଳକା ସିଟ୍ ପାଇଁ ଜୁଲାଇ ୩୦ ତତ୍କାଳ (ସ୍ପଟ୍) ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ହେବ । ଅଗଷ୍ଟ ୧ ତାରିଖରେ ସ୍ପଟ୍ ନାମଲେଖା ପାଇଁ ଛାତ୍ରଛାତ୍ରୀମାନେ କଲେଜ ଚୟନ କରିବେ । ଅଗଷ୍ଟ ୭ ତାରିଖରେ ସ୍ପଟ୍ ଆଡ଼ମିଶନ ପାଇଁ ମେଧା ତାଲିକା ପ୍ରକାଶ ପାଇବ । ଅଗଷ୍ଟ ୮ରୁ ୧୩ ତାରିଖ ମଧ୍ୟରେ ତତ୍କାଳ ନାମଲେଖା ହେବ । ଜୁଲାଇ ୨୪ରୁ ପାଠପଢ଼ା ଆରମ୍ଭ ହେବାର ସମ୍ଭାବନା ରହିଛି ।
ଯୁକ୍ତ ଦୁଇ ଆବେଦନ କରିବାକୁ ଫର୍ମର ମୂଲ୍ୟ ୨୦୦ ଟଙ୍କା ରହିଥିବାବେଳେ କିନ୍ନର ଏବଂ ଭିନ୍ନକ୍ଷମଙ୍କ ପାଇଁ ସମ୍ପୂର୍ଣ୍ଣ ମାଗଣା ରହିଛି । ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲରେ ନାମଲେଖା ସମ୍ବନ୍ଧୀୟ ପାଇପାରିବେ । ଏହା ସହିତ କୌଣସି ଦ୍ୱନ୍ଦ୍ୱ ଦୂର କରିବା ପାଇଁ ସହାୟତା ନମ୍ବର ୧୫୫୩୩୫ କିମ୍ବା ୧୮୦୦୩୪୫୬୭୭୦ରେ ଯୋଗାଯୋଗ କରିପାରିବେ ।
ଚଳିତ ବର୍ଷ ମୋଟ ୫ ଲକ୍ଷ ୨ ହଜାର ୪୧୭ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିଲେ । ମେ ୨ ତାରିଖ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାଫଳ ପ୍ରକାଶ ପାଇଥିଲା । ୪ ଲକ୍ଷ ୮୪ ହଜାର ୮୬୩ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ପାସ୍ ହାର ୯୪.୯୩ ପ୍ରତିଶତ ରହିଥିଲା । ଛାତ୍ରୀଙ୍କ ପାସ୍ ହାର ୯୬ ଏବଂ ଛାତ୍ରଙ୍କ ପାସ୍ ହାର ରହିଛି ୯୪ ପ୍ରତିଶତ ରହିଛି।