ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ପ୍ରଥମେ ୪ ବର୍ଷ ଅର୍ଥାତ୍ ୨୦୨୦ ରୁ ୨୦୨୪ ନଭେମ୍ବର ୨୩ ଏବଂ ପରବର୍ତ୍ତୀ ସମୟରେ ଆଉ ୬ ମାସ ବିଶ୍ୱବିଦ୍ୟାଳୟ କୁଳପତି ଭାବେ ଦାୟିତ୍ୱ ନିର୍ବାହ କରିବା ପରେ ଗତକାଲି(୨୩ ମଇ)ରେ ପଦବି ଛାଡ଼ିଛନ୍ତି । ମାତ୍ର ଏବେ ଯାଏଁ କୁଳପତି ଦାୟିତ୍ୱରେ କିଏ ରହିବେ ସେନେଇ ଘୋଷଣା ହୋଇପାରିନାହିଁ । ବିଳମ୍ବିତ ରାତି ଯାଏଁ କାହାରି ନାଁ ଘୋଷଣା ହୋଇପାରିନାହିଁ । ଅପରପକ୍ଷେ ପ୍ରଫେସର ଆଚାର୍ଯ୍ୟଙ୍କ ସ୍ଥାନରେ କିଏ କୁଳପତି ଦାୟିତ୍ୱ ରହିବ, ତାହାକୁ ନେଇ କ୍ୟାମ୍ପସରେ ଚର୍ଚ୍ଚା ଲାଗିରହିଛି । ଉଚ୍ଚଶିକ୍ଷା ବିଭାଗ ଏବଂ ରାଜଭବନ କଣ ନେବେ ନିଷ୍ପତି, ଏବେ ଏଇ ୨ କାର୍ଯ୍ୟାଳୟ ଉପରେ ସମସ୍ତଙ୍କ ନଜର ଅଟକିଛି ।
୨୦୨୦ ଆଇନ ବଳରେ ରାଜ୍ୟର ଅଧିକାଂଶ ବିଶ୍ୱବିଦ୍ୟାଳୟରେ ବରିଷ୍ଠ ପ୍ରଫେସରଙ୍କୁ କୁଳପତି ପଦବୀରେ ଅଧିଷ୍ଠିତ ହୋଇଛନ୍ତି ସତ, ହେଲେ ଏପ୍ରିଲ ମାସରୁ ଓଡ଼ିଶାରେ ୨୦୨୪ ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ଲାଗୁ ହୋଇଥିବାରୁ ଏବେ ସମସ୍ୟା ବଢିଛି । ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ୨୦୨୪ର ସେକ୍ସନ ୧୦(ଜି)ରେ କୁଳପତିଙ୍କ କାର୍ଯ୍ୟକାଳ ସରିଲେ ଯେକୌଣସି ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ଦାୟିତ୍ୱ ଦେବାର ନିୟମ କରାଯାଇଥିଲେ ମଧ୍ୟ ତାହାକୁ କାର୍ଯ୍ୟକାରୀ କରାଯାଉନାହିଁ । ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ଭୁବନେଶ୍ୱରର ୨ଟି ବିଶ୍ୱବିଦ୍ୟାଳୟ ରମାଦେବୀ ଓ ଉତ୍କଳରେ ଏବେ ସ୍ଥାୟୀ କୁଳପତି ନାହାନ୍ତି । ତେଣୁ ନିୟମ ଅନୁଯାୟୀ ନିକଟରେ ଥିବା ଓଡ଼ିଶା କୃଷି ବୈଷୟିକ ବିଦ୍ୟାଳୟ (ଓୟୁଏଟି) କିମ୍ବା ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟଙ୍କୁ କୁଳପତି ଦାୟିତ୍ୱ ଦିଆଯିବା କଥା । ମାତ୍ର ତାକୁ ନେିଇ ସମସ୍ୟା ସୃଷ୍ଟି ହୋଇଛି । ସଂସ୍କୃତି ବିଶ୍ୱବିଦ୍ୟାଳୟ କୁଳପତି ଏବେ ପୂରୀ ସ୍ଥିତ ଶ୍ରୀଜଗନ୍ନାଥ ସଂସ୍କୃତି ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ଦାୟିତ୍ୱରେ ରହିଛନ୍ତି । ଓୟୁଏଟି କୁଳପତିଙ୍କ କାର୍ଯ୍ୟକାଳ ସେପ୍ଟେମ୍ବର ମାସରେ ଶେଷ ହେଉଛି, ତେଣୁ କାହାକୁ ଦାୟିତ୍ୱ ଦେବେ ଅଧିକାରୀମାନେ ସ୍ଥିର କରିପାରୁନାହାନ୍ତି ।
ସେପଟେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଆଚାର୍ଯ୍ୟଙ୍କ କାର୍ଯ୍ୟକାଳ ଆଉ ଥରେ ବୃଦ୍ଧି କରିବାକୁ ରାଜଭବନ ପକ୍ଷରୁ ଗତ ସେପ୍ଟେମ୍ବର ମାସରେ ସବୁଜ ସଙ୍କେତ ମିଳିଥିଲା । ମାତ୍ର ବିଭିନ୍ନ ଆଡୁ ବିରୋଧର ସ୍ୱର ଉଠିବାରୁ ଉଚ୍ଚଶିକ୍ଷା ବିଭାଗ ସେଥିରୁ ବିରତ ରହିଛି । ପ୍ରଫେସର ଆଚାର୍ଯ୍ୟଙ୍କ କାର୍ଯ୍ୟକାଳ ଆଉ ବୃଦ୍ଧି କରାଯାଇନଥିବା ଜଣାପଡିଛି । ତେଣୁ ପ୍ରଫେସର ଆଚାର୍ଯ୍ୟ ଗତକାଲି ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଗଠନ ହୋଇଥିବା ବିଭିନ୍ନ ହ୍ୱାଟସପ୍ ଗ୍ରୁପରୁ ଓହରି ଯାଇଛନ୍ତି । ଅନ୍ୟପେଟେ ଆସନ୍ତା ୩ ଦିନ ସରକାରୀ ଛୁଟି ଥିବାରୁ ତାହାରି ଭିତରେ ବିଜ୍ଞପ୍ତି ପ୍ରକାଶ କରିବେ, ନା କୁଳପତି ପଦବୀ ସେମିତି ସେନେଇ ଆଶଙ୍କା ଦେଖାଦେଇଛି ।