ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ୧୬ ନଂ ଜାତୀୟ ରାଜପଥର ରଥିଆ ନିକଟରେ ରୋଗୀ ଛାଡି ଫେରୁଥିବା ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଗାଡିର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏଥିରେ ଆଟେଣ୍ଡାଟଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ବଉଲାଙ୍ଗ ମଧୁପୁର ଅଞ୍ଚଳର ଅଚ୍ୟୁତାନନ୍ଦ ବାରିକ ।
ସୂଚନା ଅନୁସାରେ, ଦଶରଥପୁରର ଏହି ୧୦୮ ଆମ୍ବୁଲାନ୍ସ ଦିନରେ ୬ଟି ରୋଗୀ ସେବା ଦେବା ପରେ ସଂଧ୍ୟାରେ ରୋଗୀକୁ କଟକରେ ଛାଡି ଫେରିଲା ବେଳେ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ଏତେ ଭୟାନକ ଥିଲା ଯେ, ଆଟେଣ୍ଡାଟ ଅଚ୍ୟୁତାନନ୍ଦ ବାରିକଙ୍କ ମୃତ୍ୟୁ ହେବା ସହିତ ଡ୍ରାଇଭର କୈଳାସ ପଣ୍ଡା ଆହତ ହୋଇଛନ୍ତି । ମୃତକଙ୍କ ଶବ ବ୍ୟବଚ୍ଛେଦ ପାଇଁ ଧର୍ମଶାଳା ଚିକିତ୍ସାଳୟ ପଠାଯାଇଥିବାବେଳେ ଆହତ ଡ୍ରାଇଭର କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଏନେଇ ଧର୍ମଶାଳା ଥାନା ପୋଲିସକୁ ଖବର ଦିଆଯାଇଥିଲା । ଖବର ପାଇ, ପୋଲିସ ଦୁର୍ଘଟଣାଗ୍ରସ୍ତ ଆମ୍ବୁଲାନ୍ସକୁ ଜବତ କରିବା ସହିତ ଘଟଣାର ତଦନ୍ତ ଜାରି କରିଛି ।
ଶ୍ରମ ନିୟମକୁ ଉଲଘଂନ କରି ସେବା ଯୋଗାଣକାରୀ ସଂସ୍ଥା ୮ ଘଣ୍ଟା ବଦଳରେ ୨୪ ଘଣ୍ଟା କାର୍ଯ୍ୟରେ ଲଗାଉଥିବା ବେଳେ ଏପରି ବାରମ୍ବାର ଦୁର୍ଘଟଣା ଘଟୁଛି। ଡ୍ରାଇଭରମାନଙ୍କୁ ବିଶ୍ରାମ ପାଇଁ ସମୟ ମିଳୁନଥିବାରୁ ଏପରି ଦୁର୍ଘଟଣା ଘଟୁଥିବା ସଂଘ ପକ୍ଷରୁ କୁହାଯାଉଛି। ଯାହାକି ଚଳିତ ମାସରେ ଓଡିଶାରେ ମୋଟ ୧୦ଟି ଆମ୍ବୁଲାନସ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେଣୁ କର୍ମଚାରୀମାନଙ୍କୁ ଶ୍ରମ ନିୟମାନୁସାରେ କାର୍ଯ୍ୟ କରିବାକୁ ଦିଆଯାଉ ବୋଲି ଦାବି ହେଉଛି।