ବୌଦ୍ଧ: ଶୁକ୍ରବାର ବୌଦ୍ଧ ପୋଲିସକୁ ମିଳିଲା ସଫଳତା । ଦୁଇଟି ଭିନ୍ନ ଭିନ୍ନ ସ୍ଥାନରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି। ଶୁକ୍ରବାର ବୌଦ୍ଧ ପୋଲିସ ପକ୍ଷରୁ ବୌଦ୍ଧ ସହରର ରାଜନପାଲି ନିକଟରୁ ୭୦ କେଜି ଗଞ୍ଜେଇ ଜବତ ମାମଲାରେ ୭ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ସୂଚନା ଅନୁସାରେ, ଗୁରୁବାର ବୌଦ୍ଧ ସହର ଅନ୍ତର୍ଗତ ରାଜନପାଲି ରଜାବନ୍ଧ ନିକଟରେ ଗଞ୍ଜେଇ ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିବା ନେଇ ବୌଦ୍ଧ ପୋଲିସ ଖବର ପାଇ ଚଢାଉ କରିଥିଲା । ରାଜନପାଲି ରଜାବନ୍ଧ ହୁଡ଼ାର ଏକ ବୁଦା ଭିତରୁ ୭୦ କେଜି ଗଞ୍ଜେଇ ଜବତ କରିବା ସହ ଘଟଣାସ୍ଥଳରୁ ୨ଟି ବାଇକ ସହ ୭ ଜଣଙ୍କୁ ଗିରଫ କରାଯାଇଥିଲା । ଏ ସମ୍ପର୍କରେ ବୌଦ୍ଧ ଥାନାରେ ଏକ ମାମଲା ରୁଜୁ କରାଯାଇ ଆବଶ୍ୟକ ପ୍ରାଥମିକ ତଦନ୍ତ ପରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇ ଥିବା ଆଇଆଇସି ରଂଜିତ କୁମାର ମୁନୀ ସୂଚନା ଦେଇଛନ୍ତି
ସେହିପରି ଶୁକ୍ରବାର ବୌଦ୍ଧ ପୋଲିସ ପକ୍ଷରୁ ଓଲଣ୍ଡା ଗ୍ରାମରୁ ୧୬୦ କେଜି ଗଞ୍ଜେଇ ଜବତ ମାମଲାରେ ଗିରଫ ଜଣେ ମହିଳାଙ୍କୁ କୋର୍ଟ ଚାଲାଣ କରାଯାଇଛି । ସୂଚନା ଅନୁସାରେ, ଓଲଣ୍ଡା ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ବ୍ୟବସାୟ ଉଦ୍ଦେଶ୍ୟରେ ଗଞ୍ଜେଇ ମହଜୁଦ୍ ଥିବା ଖବର ପାଇ ବୌଦ୍ଧ ପୋଲିସ ଗୁରୁବାର ଚଢାଉ କରିଥିଲା । ସମ୍ପୃକ୍ତ ବ୍ୟକ୍ତିଙ୍କ ଘର ପଛରେ ଥିବା ବସ୍ତାରୁ ପୁଳାପୁଳା ଗଞ୍ଜେଇ ବାହାରି ଥିଲା । ଯାହାର ଓଜନ ପ୍ରାୟ ୧୬୦ କେଜି ହୋଇଥିଲା | ଉକ୍ତ ମାମଲାରେ ପୋଲିସ ଜଣେ ମହିଳାଙ୍କୁ ଗିରଫ କରିବା ସହ ମହିଳାଙ୍କ ନାବାଳକ ପୁଅକୁ ମଧ୍ୟ ଥାନାକୁ ଆଣିଥିଲା । ମହିଳାଙ୍କୁ କୋର୍ଟ ଚାଲାଣ କରାଯାଇଥିବାବେଳେ ନାବାଳକକୁ ଜୁଭେନାଇଲ୍ ଜଷ୍ଟିସ ବୋର୍ଡରେ ହାଜର କରାଯାଇଥିବା ସୂଚନା ମିଳିଛି ।