ମୁମ୍ବାଇ: ବଲିଉଡର 'ଭାଇଜାନ' ସଲମାନ ଖାନଙ୍କ ସୁରକ୍ଷା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତାଙ୍କୁ Y+ ସୁରକ୍ଷା ମିଳିଛି । ଏହାସହିତ ତାଙ୍କୁ ୨୪ ଘଣ୍ଟା ପୋଲିସ ଏବଂ ଅଙ୍ଗରକ୍ଷୀ ମାନେ ସୁରକ୍ଷା ପ୍ରଦାନ କରୁଛନ୍ତି, କିନ୍ତୁ ଏହା ସତ୍ତ୍ୱେ ମଧ୍ୟ ତାଙ୍କ ସୁରକ୍ଷାକୁ ଉଲ୍ଲଂଘନ ଘଟଣା ସାମ୍ନାକୁ ଆସୁଛି । ଯାହା ସଲମାନ ଖାନ ଏବଂ ତାଙ୍କ ଫ୍ୟାନ୍ସ ଓ ପୋଲିସ ଅଧିକାରୀଙ୍କ ଚିନ୍ତାକୁ ବଢ଼ାଇ ଦେଇଛି। ଏବେ ପ୍ରଶ୍ନ ଉଠୁଛି ଯେ ଏତେ କଡ଼ା ସୁରକ୍ଷା ସତ୍ତ୍ୱେ, ଭୁଲ କେଉଁଠି ହେଉଛି?
Y+ ସୁରକ୍ଷା ଭାରତରେ ପ୍ରଦାନ କରାଯାଇଥିବା ସବୁଠାରୁ କଠିନ ସୁରକ୍ଷା ବ୍ୟବସ୍ଥା ମଧ୍ୟରୁ ଅନ୍ୟତମ । ଏଥିରେ ସାଧାରଣତଃ ୧୧ ଜଣ ସୁରକ୍ଷା କର୍ମୀ ଥାଆନ୍ତି। ଯେଉଁଥିରେ ଦୁଇଜଣ କମାଣ୍ଡୋ (ସାଧାରଣତଃ ଜାତୀୟ ସୁରକ୍ଷା ଗାର୍ଡ - NSG କିମ୍ବା CRPF ରୁ) ଏବଂ ପୋଲିସ କର୍ମଚାରୀ ସାମିଲ ଥାଆନ୍ତି। ଏହି ସୁରକ୍ଷା କର୍ମୀମାନେ ୨୪ ଘଣ୍ଟା ନଜର ରଖିବା ପାଇଁ ପାଳିରେ କାମ କରନ୍ତି। ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇ ଏବଂ ଗୋଲ୍ଡୀ ବ୍ରାର ଗ୍ୟାଙ୍ଗରୁ ହତ୍ୟା ଧମକ ପାଇବା ପରେ ସଲମାନ ଖାନଙ୍କୁ ଏହି ସୁରକ୍ଷା ଦିଆଯାଇଥିଲା। ଯେତେବେଳେ ସଲମାନ ସୁଟିଂ ପାଇଁ ବାହାରକୁ ଯାଆନ୍ତି, ସେତେବେଳେ ଗାଲାକ୍ସି ଆପାର୍ଟମେଣ୍ଟରେ କେବଳ କିଛି ପୋଲିସ କର୍ମଚାରୀ ଏବଂ ସଲମାନଙ୍କ ବ୍ୟକ୍ତିଗତ କର୍ମଚାରୀ ଉପସ୍ଥିତ ଥାନ୍ତି ।
ଗତ କିଛି ମାସ ମଧ୍ୟରେ ସଲମାନ ଖାନଙ୍କ ସୁରକ୍ଷାରେ ଉଲ୍ଲଂଘନର ଅନେକ ଘଟଣା ସାମ୍ନାକୁ ଆସିଛି। ଯାହା ବହୁତ ଚିନ୍ତାର ବିଷୟ । ଜାନୁଆରୀ ମାସରେ ଅଜେଶ କୁମାର, ଓମ ପ୍ରକାଶ ଗିଲ ଏବଂ ଗୁରସେବକ ସିଂହ ତେଜସିଂହଙ୍କୁ ପାନଭେଲରେ ସଲମାନ ଖାନଙ୍କ ଫାର୍ମହାଉସରେ ପ୍ରବେଶ କରିବାକୁ ଚେଷ୍ଟା କରିଥିବା ସମୟରେ ତାଙ୍କୁ ଗିରଫ କରାଯାଇଥିଲା।
ପୋଲିସର କହିବା ଅନୁଯାୟୀ, ଦୁହେଁ ଅନ୍ୟ ରାଜ୍ୟରୁ ଆସିଥିଲେ ଏବଂ ସଲମାନ ଖାନଙ୍କୁ ଭେଟିବାକୁ ଚାହୁଁଥିଲେ। ଉଭୟଙ୍କ ବିରୁଦ୍ଧରେ ବେଆଇନ ଅନୁପ୍ରବେଶ ଅଭିଯୋଗ ଥିଲା ଏବଂ ସେମାନେ କିଛି ସମୟ ପାଇଁ ପୋଲିସ ହେପାଜତରେ ଥିଲେ। ଏହି ଘଟଣାର ମାତ୍ର କିଛି ଦିନ ପରେ, ଦିଲ୍ଲୀର ଜଣେ ୨୪ ବର୍ଷୀୟା ମହିଳା ଯିଏ ନିଜକୁ ସଲମାନଙ୍କ ଜଣେ ପ୍ରଶଂସକ ବୋଲି କହିଥିଲେ । ସେ ସୁପରଷ୍ଟାରଙ୍କୁ ଭେଟିବା ପାଇଁ ଜିଦ୍ ଧରିଥିଲେ।
କେବଳ ଫାର୍ମହାଉସ୍ ନୁହେଁ, ସଲମାନ ଖାନଙ୍କ ସେଟ୍ ରେ ମଧ୍ୟ ସେ ସୁରକ୍ଷିତ ନୁହଁନ୍ତି । ଡିସେମ୍ବର ୪ ତାରିଖରେ, ଜଣେ ଅଜଣା ବ୍ୟକ୍ତି ମୁମ୍ବାଇର ଦାଦରରେ ସଲମାନ ଖାନଙ୍କ ସୁଟିଂ ସମୟରେ ବେଆଇନ ଭାବରେ ପ୍ରବେଶ କରିଥିଲେ। ଯେତେବେଳେ ସେହି ବ୍ୟକ୍ତିଙ୍କୁ ଅଟକାଗଲା, ସେ କ୍ରୁ ସଦସ୍ୟମାନଙ୍କୁ ଧମକାଇ ପଚାରିଲେ, "ମୁଁ ବିଷ୍ନୋଇଙ୍କୁ ଡାକିବି କି?" ସଲମାନଙ୍କ ଫାର୍ମହାଉସ୍ ଏବଂ ସେଟ୍ ପରେ ଏବେ ତାଙ୍କର ପ୍ରଶଂସକମାନେ ତାଙ୍କ ଘରେ ମଧ୍ୟ ପହଞ୍ଚି ସାରିଛନ୍ତି। ପୋଲିସ ଏହି ମାମଲାରେ ଇଶା ଛାବ୍ରା ଏବଂ ଜିତେନ୍ଦ୍ର କୁମାର ସିଂହଙ୍କୁ ଅଟକ ରଖିଛି। ସଲମାନ ଖାନଙ୍କ ଚାରିପାଖରେ କ୍ରମାଗତ ଭାବରେ ଘଟୁଥିବା ଏହି ଘଟଣାଗୁଡ଼ିକ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
Y+ ସୁରକ୍ଷା ଅଧୀନରେ, କମାଣ୍ଡୋ ଏବଂ ପୋଲିସର ଏକ ଦଳ ସଲମାନ ଖାନଙ୍କ ସହିତ ତାଙ୍କ ଘର, ଫାର୍ମହାଉସ ଏବଂ ସୁଟିଂ ସ୍ଥାନରେ ନିୟୋଜିତ ଅଛନ୍ତି। ଏହି ସୁରକ୍ଷା କର୍ମୀଙ୍କ ବ୍ୟତୀତ ସଲମାନଙ୍କ ସୁରକ୍ଷା କର୍ମୀ ଶେରା ଏବଂ ତାଙ୍କ ଟିମ୍ ମଧ୍ୟ ସଲମାନଙ୍କ ପାଖ ଛାଡି ନାହାଁନ୍ତି। ଯେତେବେଳେ ସଲମାନ କୌଣସି ସାର୍ବଜନୀନ ସ୍ଥାନକୁ ଯାଆନ୍ତି ସ୍ଥାନୀୟ ପୋଲିସ ଷ୍ଟେସନକୁ ମଧ୍ୟ ଏ ବିଷୟରେ ଜଣାଇ ଦିଆଯାଏ। ଯାହା ଦ୍ଵାରା ତାଙ୍କ ଦଳ ସେହି ସ୍ଥାନର ସୁରକ୍ଷାର ଯତ୍ନ ନେଇପାରିବେ।ଆରତୀ ସକ୍ସେନା ଗୋଟେ ସାମାଜିକ ଗଣମାଧ୍ୟମକୁ କହିଛନ୍ତି ଯେ ଯେତେବେଳେ ସଲମାନ ଖାନଙ୍କ ଫାର୍ମହାଉସ ଏବଂ ସେଟର ଗେଟ ଭାଙ୍ଗିବାକୁ ଚେଷ୍ଟା କରିଥିଲେ, ସଲମାନ ସେଠାରେ ଉପସ୍ଥିତ ନଥିଲେ। ଯେତେବେଳେ ସଲମାନ ଉପସ୍ଥିତ ଥାଆନ୍ତି। ଏପରି କୌଣସି ମାମଲା ସାମ୍ନାକୁ ଆସିନାହିଁ। ଗାଲାକ୍ସି ଆପାର୍ଟମେଣ୍ଟରେ ହେଉଥିବା ସୁରକ୍ଷା ଉଲ୍ଲଂଘନ ପାଇଁ କେବଳ ସଲମାନ ଖାନଙ୍କ ସୁରକ୍ଷାକୁ ଦାୟୀ କରାଯାଇପାରିବ ନାହିଁ। ସଲମାନ ଖାନ ଶାହରୁଖ ଖାନ ଏବଂ ଅମିତାଭ ବଚ୍ଚନଙ୍କ କୌଣସି ବ୍ୟକ୍ତିଗତ ଅଞ୍ଚଳରେ ରୁହନ୍ତି ନାହିଁ। ସେ ଏକ ଆବାସିକ ଅଞ୍ଚଳରେ ରୁହନ୍ତି ଯେଉଁଠାରେ ଅନ୍ୟ ଲୋକମାନେ ମଧ୍ୟ ରୁହନ୍ତି।
ଯେତେବେଳେ ସଲମାନ ଖାନ ଘରେ ଥାଆନ୍ତି। ସେତେବେଳେ ତାଙ୍କ ସହିତ ପୋଲିସ ଏବଂ ବ୍ୟକ୍ତିଗତ ସୁରକ୍ଷାକର୍ମୀ ଉପସ୍ଥିତ ଥାଆନ୍ତି। ଏହା ବ୍ୟତୀତ, ଯେତେବେଳେ ସଲମାନ ବାହାରକୁ ଯାଆନ୍ତି, ତାଙ୍କ ସହିତ ଏକ ପୋଲିସ ଗାଡ଼ି, ଏକ ବାଇକ୍ ରେ ଦୁଇଜଣ କମାଣ୍ଡୋ, ତାଙ୍କ ଗାର୍ଡଙ୍କ ଦୁଇଟି ଗାଡ଼ି ଏବଂ ତାଙ୍କର ବୁଲେଟପ୍ରୁଫ୍ ଗାଡ଼ି ମଧ୍ୟ ଥାଏ। ତେବେ ତାଙ୍କର ସୁରକ୍ଷା ପାଇଁ ୫୦ରୁ ଅଧିକ ଲୋକଙ୍କୁ ନିୟୋଜିତ କରାଯାଇଛି।