ଫ୍ରାନ୍ସ: ପ୍ରତିବର୍ଷ ଭଳି ଚଳିତବର୍ଷ ବି ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ଫ୍ରାନ୍ସରେ ଆୟାଜିତ ହୋଇଯାଇଛି । ଏଥିରେ ବିଶ୍ୱର ବିଭିନ୍ନ ଷ୍ଟାର ଅଂଶଗ୍ରହଣ କରିଛନ୍ତି । ୧୩ ମଇରୁ ଆରମ୍ଭ ହେଇଥିବା ଏହ ଫେଷ୍ଟିଭାଲ ଆସନ୍ତାକାଲି (୨୪ ମଇ)ରେ ଶେଷ ହୋବାକୁ ଯାଉଛି । ତେବେ ଏହି ଫେଷ୍ଟିଭାଲ କେବଳ ବିଶ୍ୱ ସିନେମାର ଏକ ପ୍ରମୁଖ ଉତ୍ସବ ନୁହେଁ, ବରଂ ଶୋ-ଷ୍ଟପିଂ ଫ୍ୟାଶନ ପାଇଁ ମଧ୍ୟ ଏକ ପ୍ରମୁଖ ମଞ୍ଚ । ସବୁ ବର୍ଷ କାନ୍ସରେ କିଛି ନା କିଛି ଭିନ୍ନ ଦେଖିବାକୁ ମିଳେ। ହେଲେ ଏହି ବର୍ଷ, କାନ୍ସ ଫିଲ୍ମ ଫେଷ୍ଟିଭାଲ କେବଳ ସିନେମା ଏବଂ ରେଡ କାର୍ପେଟ ଗ୍ଲାମର ଭିତରେ ସୀମିତ ନାହିଁ ବରଂ ରାଜନୈତିକ ନାଟକର ମଧ୍ୟ ଅଂଶ ପାଲଟିଛି । କାନ୍ସରେ ସମସ୍ତଙ୍କୁ ଚମକାଇଛି ଭାରତ । ପ୍ରଧାନମନ୍ତ୍ରୀ ମୋଦି, ସିନ୍ଦୂର, ଆଉ ଆତଙ୍କୀ ଆକ୍ରମଣକୁ ବିଶ୍ବ ଆଗରେ ପ୍ରଦର୍ଶିତ କରିଛି ଭାରତ ।
ଅପରେସନ ସିନ୍ଦୂରରେ ଭାରତ ପହଲଗାମ୍ ଆକ୍ରମଣର କଡା ଜବାବ ଦେବା ପରେ ଏବେ ସାରା ବିଶ୍ବ ଆଗରେ ତାର ଗୌରବର ଗାଥା ଗାଉଛି । କାନ୍ସ ଫିଲ୍ମ ଫେଷ୍ଟିଭାଲରେ ମଧ୍ୟ ତାର ଝଲକ ଦେଖିବାକୁ ମିଳିଛି । ସାରା ବିଶ୍ବ ‘କାନ୍ସ କୁଇନ୍’ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ରେଡ୍ କାର୍ପେଟ ଲୁକ୍ ପାଇଁ ଚାତକ ଭଳି ଚାହିଁ ରହିଥିବା ବେଳେ ମନୀଷ ମଲୋହୋତ୍ରାଙ୍କ ବନାରସୀ ଶାଢ଼ିରେ ସେ ପୂରା ବିଶ୍ବର ଦୃଷ୍ଟି ଆକର୍ଷଣ କରିଛନ୍ତି । କିନ୍ତୁ ସବୁଠୁ ବେଶୀ ଚର୍ଚ୍ଚା ହେଉଛି ତାଙ୍କ ମଥାରେ ଜଳଜଳ କରି ଦେଖାଯାଉଥିବା ଲାଲ୍ ସିନ୍ଦୁରକୁ ନେଇ । ଅନ୍ତର୍ଜାତୀୟ ରେଡ୍ କାର୍ପେଟରେ ଐଶ୍ୱର୍ଯ୍ୟା ଲାଲ୍ ସିନ୍ଦୁର ପିନ୍ଧି ଭାରତ ଅପରେସନ ସିନ୍ଦୁର ନେଇ ବଡ ବାର୍ତ୍ତା ଦେଇଥିବା ଚର୍ଚ୍ଚା ହେଉଛି । ତେବେ ହିନ୍ଦୁ ସଂସ୍କୃତିରେ ସିନ୍ଦୁର କିମ୍ବା ସିନ୍ଦୁରକୁ ଏକ ପବିତ୍ର ପ୍ରତୀକ ଏବଂ ନାରୀ ଶକ୍ତିର ଏକ ପ୍ରତୀକ ଭାବରେ ବିବେଚନା କରାଯାଇଥିବା ବେଳେ ସମ୍ପ୍ରତି ଅପରେସନ ସିନ୍ଦୂର ସହ ଏହାକୁ ଯୋଡା ଯାଉଛି ।
ଅଭିନେତ୍ରୀ ଏବଂ ମଡେଲ, ରୁଚି ଗୁଜ୍ଜର ମଧ୍ୟ ନିଆରା ଢଙ୍ଗରେ ନଜର ଆସିଥିଲେ । କାନ୍ସ ରେଡ କାର୍ପେଟରେ ଏକ ବ୍ରାଇଡ୍ ଅବତାରରେ ଚାଲିଥିବା ବେଳେ, ତାଙ୍କରେ ବେକରେ ଥିବା ହାର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଯେଉଁଥିରେ ଲାଗିଥିବା ପେଣ୍ଡେଣ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ଥିବା ଏକ କଷ୍ଟମାଇଜଡ ହାର ଥିଲା । ତେବେ ଏହାକୁ ନେଇ ଅନେକ ସମୋଲୋଚନାର ଶିକାର ହୋଇଛନ୍ତି ଗୁଜ୍ଜର ।
ସେହିପରି ମଡେଲ ତଥା ଅଭିନେତ୍ରୀ ସୋନମ ଛାବ୍ରାଙ୍କୁ ଦେଶର ଚାରୋଟି ଭୂତପୂର୍ଣ୍ଣ ତାରିଖକୁ ନିଜ ଗାଉନରେ କଏଦ୍ କରିଥିବାର ଦେଖିବାକୁ ମିଳିଥିଲା । ଯେଉଁଥିରେ ୨୦୦୮ – ମୁମ୍ବାଇ, ୨୦୧୬ – ଉରି, ୨୦୧୯ – ପୁଲୱାମା, ଏବଂ ୨୦୨୫ – ପହଲଗାମ୍’, ଯାହା ଉପରେ ‘ଅନବ୍ରୋକେନ୍’ ଶବ୍ଦ ଲେଖାଯାଇଛି। ଅଭିନେତା, ତାଙ୍କ ପୋଷାକ ମାଧ୍ୟମରେ, ଭାରତୀୟ ଲୋକଙ୍କ ସ୍ଥିରତା ଏବଂ ଅମର ଆତ୍ମାକୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।