ମୁମ୍ବାଇ: ମାୟାନଗରୀ ମୁମ୍ବାଇରୁ ଆସିଛି ଏକ ଦୁଃଖଦ ଖବର । ବଲିଉଡ୍ ପୁଣି ଜଣେ ଅଭିନେତାଙ୍କୁ ହରାଇଛି । ବରିଷ୍ଠ ଅଭିନେତା ମୁକୁଲ ଦେବଙ୍କର ଦେହାନ୍ତ ହୋଇଯାଇଛି । ମାତ୍ର ୫୪ ବର୍ଷ ବୟସରେ ସେ ଦୁନିଆରୁ ବିଦାୟ ନେଇଛନ୍ତି । ତାଙ୍କ ମୃତ୍ୟୁର କାରଣ ଜଣାପଡ଼ି ନାହିଁ । ତାଙ୍କର ବନ୍ଧୁ ବିନ୍ଦୁ ଦାରା ସିଂହ ସାମାଜିକ ଗଣମାଧ୍ୟମ ଏକ୍ସରେ ଏହି ସୂଚନା ଦେଇଛନ୍ତି । ମୁକୁଲଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି ।
ଅଭିନେତା ମୁକୁଲ ଦେବ ହିନ୍ଦୀ, ପଞ୍ଜାବୀ, ଦକ୍ଷିଣ ଭାରତୀୟ ସିନେମାରେ ଜଣେ ପରିଚିତ ଚେହେରା ଥିଲେ । ଅନେକ ଭାଷା ଯଥା ହିନ୍ଦୀ, ପଞ୍ଜାବୀ, ତାମିଲ, ତେଲୁଗୁ, କନ୍ନଡ଼, ବଙ୍ଗାଳୀ ଏବଂ ମାଲାୟଲମରେ ଅଭିନୟ କରିଛନ୍ତି ।
୧୯୭୦, ସେପ୍ଟେମ୍ବର ୧୭ ତାରିଖରେ ନୂଆଦିଲ୍ଲୀରେ ଜନ୍ମ ଗ୍ରହଣ କରିଥିଲେ ମୁକୁଲ । ୧୯୯୬ରେ ଟେଲିଭିଜନ ଧାରାବାହିକ ‘ମୁମକିନ୍’ ରେ ପ୍ରଥମ ଥର ପାଇଁ ଅଭିନୟ କରିଥିଲେ । ସେହିପରି ଦୂରଦର୍ଶନରେ ପ୍ରସାରିତ ହେଉଥିବା ‘ଏକ୍ ସେ ବଡକର୍ ଏକ୍’ କମେଡ଼ି ଧାରାବାହିକରେ କାମ କରିଛନ୍ତି । ଏହା ପରେ ‘ଦଶକତ୍’ ଚଳଚ୍ଚିତ୍ର ଜରିଆରେ ସେ ବଡ଼ ପରଦାକୁ ଆସିଥିଲେ । ଦୀର୍ଘ ୨୫ ବର୍ଷ ଧରି ବଲିଉଡରେ କାମ କରିଛନ୍ତି । ପ୍ରାୟ ୩୫ଟି ସିନେମା ଏବଂ ୧୭ଟି ଧାରାବାହିକରେ ଅଭିନୟ କରିଛନ୍ତି । ସେ ଅନେକ ପ୍ରସିଦ୍ଧ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟର ଯାଦୁ ଦେଖାଇଛନ୍ତି । ସେଥିମଧ୍ୟରୁ ‘ୟମଲା ପଗଲା ଦିୱାନା’, ‘ସନ୍ ଅଫ୍ ସର୍ଦ୍ଦାର’, ‘ଆର୍...ରାଜକୁମାର’ ‘ହିମତୱାଲା’ ଓ ‘ଜୟ ହୋ’ ଆଦି ଚଳଚ୍ଚିତ୍ର ରହିଛି ।