ଗଜପତି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଟାଉନ ଥାନା ଅନ୍ତର୍ଗତ ଜଙ୍ଗମସାହିରେ ଜଣେ ଆଇନଜୀବୀଙ୍କ ଉପରକୁ ଏସିଡ୍ ମାଡ଼ କରାଯାଇଛି । ଜଣେ ବରିଷ୍ଠ ଆଇନଜୀବୀଙ୍କ ଘରେ ପଶି ତାଙ୍କୁ ଏସିଡ୍ ମାଡ଼ କରାଯାଇଥିବା ଜଣାପଡ଼ିଛି । ଗୁରୁତର ଆଇନଜୀବୀ ଜଣକ ହେଲେ ପି.ରାମାରାଓ (୬୦) । ବାଇକ୍ରେ ୨ ଜଣ ଦୁର୍ବୃତ୍ତ ଆସି ଏସିଡ୍ ମାଡ଼ କରିଥିବା ସୂଚନା ମିଳିଛି । ଆଇନଜୀବୀଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ଆଇନଜୀବୀ ପି. ରାମାରାଓ ଘରେ ଏକା ରୁହନ୍ତି । ଆଜି ଦୁଇ ଜଣ ଦୁର୍ବୃତ୍ତ ଘରର କଲିଂ ବେଲ୍ ମାରିଥିଲେ । ସେ କବାଟ ଖୋଲିବା ମାତ୍ରେ ତାଙ୍କ ଉପରକୁ ଏସିଡ୍ ମାଡ଼ କରି ତୁରନ୍ତ ଚମ୍ପଟ ମାରିଥିଲେ । ରାମାରାଓଙ୍କ ମୁହଁ, ମୁଣ୍ଡ, ହାତ ଓ ଛାତିରେ ଏସିଡ୍ ପଡ଼ି ଜଳିଯାଇଥିବା ଦେଖିବାକୁ ମିଳିଛି । ତାଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଏହା ପରେ ତାଙ୍କୁ ବିଶାଖାପାଟଣାର ଏକ ଘରୋଇ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।
କିଏ ଓ କାହିଁକି ଏସିଡ ମାଡ଼ କରିଛନ୍ତି କିଛି ଜଣା ପଡ଼ି ନାହିଁ । ପାରଳାଖେମୁଣ୍ଡି ପୁଲିସ ତଦନ୍ତ ଆରମ୍ଭ କରିଛି ।