ପୁରୀ: ପୁରୀ ଜିଲ୍ଲା ବଳଙ୍ଗା ନାବାଳିକା ପୋଡ଼ି ଘଟଣାକୁ ସପ୍ତାହ ପୁରିଥିଲେ ମଧ୍ୟ ଏବେବି ପୋଲିସ ହାତ ଖାଲି ରହିଛି । ପରିବାର, ନିକଟ ସମ୍ପର୍କୀୟ, ମାମୁଁ, ପିଉସୀ ଏବଂ ସାଙ୍ଗସାଥୀଙ୍କୁ ଘନ ଘନ ଜେରା ପରେ ମଧ୍ୟ ପୋଲିସ ଅଭିଯୁକ୍ତଙ୍କ ଟେର୍ ପାଉନି । ତେବେ ଏହାରି ମଧ୍ୟରେ ଏକ ରୁପା ମୁଦିକୁ ନେଇ ଆଶା ଉଜ୍ଜୀବିତ ହୋଇଛି । ରୁପା ମୁଦି ସମସ୍ତ ରହସ୍ୟ ଖୋଲିବ ବୋଲି ଆଶା କରାଯାଉଛି ।
କ୍ରାଇମ ସ୍ପଟ୍ରୁ ପୋଲିସ କିରୋସିନି ତେଲ ବୋତଲ ସହ ପୋଡ଼ା କପଡ଼ା ଇତ୍ୟାଦି ଜବତ କରିଛି । ଜବତ ସାମଗ୍ରୀ ମଧ୍ୟର ଏକ ରୁପା ମୁଦି ମିଳିଛି । ଯାହାକି ଏକ ବଡ଼ ସୁରାକ ମଧ୍ୟ କୁହାଯାଉଛି । ମୁଦି କିଣାଯାଇଥିବା ବଳଙ୍ଗା ବଜାରର ଦୋକାନ ମାଲିକଙ୍କୁ ପୋଲିସ ରାତି ତମାମ ଜେରା କରିଛି । ତେବେ ଦୋକାନୀ ଜଣକ ଗଣମାଧ୍ୟମକୁ କହିଛନ୍ତି ଯେ ସେ ପୀଡ଼ିତାଙ୍କୁ ଭଲସେ ଜାଣି ନାହାଁନ୍ତି । କିନ୍ତୁ ତାଙ୍କର ଜଣେ ସାଙ୍ଗ ଅର୍ଥାତ୍ ଅନ୍ୟ ଏକ ଝିଅ ଉକ୍ତ ମୁଦିଟିକୁ ତାଙ୍କ ପ୍ରାୟ ଅଢ଼େଇ ମାସ ତଳେ ତାଙ୍କ ଦୋକାନରୁ କିଣିଥିଲେ । ସେହି ମୁଦିଟି ଜଣେ ପୁରୁଷଙ୍କ ମୁଦି ଅଟେ । ଝିଅର ବାପା ତାଙ୍କର ଜଣେ ନିୟମିତ ଗ୍ରାହକ ଅଟନ୍ତି । କିନ୍ତୁ ମୁଦିଟିକୁ କିଏ ବ୍ୟବହାର କରୁଥିଲା ସେ ନେଇ କିଛି କହିପାରି ନାହାଁନ୍ତି । ତେବେ ଦୋକାନୀ ଜଣକ ଆଉ ଏକ ବଡ଼ ତଥ୍ୟ ଦେଇଛନ୍ତି । ମୁଦି ସମ୍ପୂର୍ଣ୍ଣ ନୂଆ ଥିବା ମଧ୍ୟ କହିଛନ୍ତି । ତେଣୁ ଏହି ମୁଦି ରହସ୍ୟ ଉପରୁ ପରଦା ଉଠାଇବ ବୋଲି ଚର୍ଚ୍ଚା ହେଉଛି ।
ସେପଟେ ବଳଙ୍ଗା ପୋଲିସ ଏବଂ କ୍ରାଇମବ୍ରାଞ୍ଚ ଟିମ୍ ଦିଲ୍ଲୀ ଏମସରେ ପହଁଚି ପୀଡ଼ିତାଙ୍କ ବୟାନ ରେକର୍ଡ କରିଛି । ଅନ୍ୟପକ୍ଷରେ ନାବାଳିକାକୁ ବଞ୍ଚାଇଥିବା ଦୁଃଖିଶ୍ୟାମ ସେନାପତିଙ୍କୁ ମଧ୍ୟ ଧମକ ମିଳିଛି । ତାଙ୍କ ସୁରକ୍ଷା ପାଇଁ ଘର ପାଖରେ ପୋଲିସ ମୁତୟନ ହୋଇଛନ୍ତି ।
ପ୍ରକାଶ୍ୟ ଯୋଗ୍ୟ, ଗତ ଜୁଲାଇ ୧୯ ତାରିଖରେ ବଳଙ୍ଗାରେ ଏକ ବର୍ବରକାଣ୍ଡ ଘଟିଥିଲା । ତିନି ଜଣ ଦୁର୍ବୃତ୍ତ ନାବାଳିକାକୁ ଉଠାଇ ନେଇ ନଦୀବନ୍ଧ ଉପରେ କିରୋସିନି ଢାଳି ହତ୍ୟା କରିବାକୁ ଉଦ୍ୟମ କରିଥିଲେ । ପୀଡ଼ିତା ଜଣକ ଖସି ଆସି ଦୁଃଖିଶ୍ୟାମ ସେନାପତିଙ୍କ ଘରେ ପହଞ୍ଚିଥିଲେ । ଦୁଃଖିଶ୍ୟାମ ତାଙ୍କୁ ଉଦ୍ଧାର କରିଥିଲେ ।