ବାଲେଶ୍ୱର: ବିଜେଡି କାଉନସିଲରଙ୍କ ଘରୁ ଶିଶୁ କନ୍ୟା ଉଦ୍ଧାର । ୪ ମାସର ଶିଶୁକୁ ଲୁଚାଇ ରଖିଥିଲେ କାଉନସିଲର । ବାଲେଶ୍ଵର ଜିଲ୍ଲା ରେମୁଣା ଥାନା ଅନ୍ତର୍ଗତ ୧୧ ନଂ ୱାର୍ଡ କାଉନସିଲର ପାନମଣୀ ମୁର୍ମୁଙ୍କ ବିରୋଧରେ ଏହି ଅଭିଯୋଗ ହୋଇଛି । ରେମୁଣା ପୁଲିସ ଓ ଚାଇଲ୍ଡ ଲାଇନ ମିଳିତ ଚଢ଼ାଉ କରି ଶିଶୁକୁ ଉଦ୍ଧାର କରିଛନ୍ତି ।
ବିଜେଡ଼ି କାଉନସିଲର ପାନମଣୀ ମୁର୍ମୁଙ୍କ ଘରୁ ଏକ ଶିଶୁ ପୁତ୍ର କାନ୍ଦିବା ଶୁଣିବାକୁ ପାଇଥିଲେ ପଡ଼ୋଶୀ । ଏ ନେଇ ମଙ୍ଗଳପୁର ପୂର୍ବତନ ସରପଞ୍ଚ ଉମାକାନ୍ତ ପଣ୍ଡା ଖବର ପାଇଥିଲେ । ଘଟଣାକୁ ଗୁରୁତର ସହ ନେଇ ସରପଞ୍ଚ ଜିଲ୍ଲାପାଳଙ୍କୁ ଜଣାଇଥିଲେ । ଜିଲ୍ଲାପାଳ ରେମୁଣା ପୁଲିସ ଏବଂ ସିଡିପିଓଙ୍କୁ ଜଣାଇଥିଲେ ।
ରେମୁଣା ପୁଲିସ ଏବଂ ଶିଶୁ ସୁରକ୍ଷା ଟିମ୍ କାଉନସିଲରଙ୍କ ଘରେ ଚଢ଼ାଉ କରିଥିଲେ । ଏହା ସହ ଶିଶୁଟିକୁ ଉଦ୍ଧାର କରିଛନ୍ତି । ଅନ୍ୟପକ୍ଷରେ କାଉନସିଲରଙ୍କ ସ୍ୱାମୀ ଚଢ଼ାଉ ପୂର୍ବରୁ ଚମ୍ପଟ ମାରିଥିଲେ । ତେବେ ଶିଶୁ କନ୍ୟାଟି କାହାର ଏବଂ କେଉଁଠୁ ଆସିଲା ସେ ନେଇ କିଛି ତଥ୍ୟ ହସ୍ତଗତ ହୋଇ ନ ଥିବାବେଳେ ପୁଲିସ ଖୋଳତାଡ଼ କରୁଛି ।