ଭୁବନେଶ୍ୱର: ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ରୀନିବାସର ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତ ଦେହ ସୋମବାର ଉଦ୍ଧାର ହୋଇଛି । ଛାତ୍ରୀ ଜଣକଙ୍କ ଘର କେନ୍ଦ୍ରାପଡ଼ାରେ ହୋଇଥିବାବେଳେ ସେ ଭୁବନେଶ୍ୱରରେ ରହି ଯୁକ୍ତ ୨ରେ ପାଠ ପଢୁଥିଲେ । ସେ ଓଡ଼ିଶୀ ନୃତ୍ୟ ଶିଖୁଥିଲେ ବୋଲି ଜଣାପଡ଼ିଛି । କ୍ୟାପିଟାଲ ଥାନା ପୋଲିସ ଛାତ୍ରୀନିବାସରେ ପହଁଚି ତଦନ୍ତ ଆରମ୍ଭ କରିଛି ।
ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଛାତ୍ରୀ ଜଣକ ଭଲ ଓଡ଼ିଶା ନୃତ୍ୟ କରୁଥିଲେ । ସେ ଛାତ୍ରୀନିବାସର ରୁମ୍ ନମ୍ବର ୨୧ରେ ଦୁଇ ଜଣ ଛାତ୍ରୀଙ୍କ ସହିତ ରହୁଥିଲେ । ଅନ୍ୟ ଦୁଇ ଜଣ ଛାତ୍ରୀ ତାଙ୍କ ଘରକୁ ଛୁଟିରେ ଯାଇଛନ୍ତି । ତେବେ ତାଙ୍କୁ ଆଜି ସକାଳୁ ସେ ଫ୍ୟାନରେ ଝୁଲଥିବା ଦେଖିବାକୁ ମିଳିଥିଲା । ତାଙ୍କ ବେକରେ ଓଢ଼ଣୀ ବନ୍ଧା ହୋଇଚି । ଏ ନେଇ ମହାବିଦ୍ୟାଳୟ କର୍ତ୍ତୃପକ୍ଷ କ୍ୟାପିଟାଲ ଥାନା ପୋଲିସ, ଛାତ୍ରୀଙ୍କ ପରିବାର ଏବଂ ତାଙ୍କର ଲୋକାଲ ଗାର୍ଡିଆନଙ୍କୁ ଖବର ଦେଇଥିଲେ । ପୋଲିସ ପହଁଚି ଲୋକାଲ ଗାର୍ଡିଆନଙ୍କ ଉପସ୍ଥିତିରେ ତାଙ୍କର ମୃତ ଦେହକୁ ଜବତ କରିଛି । ରୁମରୁ ଏକ ମୋବାଇଲ୍ ମଧ୍ୟ ଜବତ କରାଯାଇଛି ।
ଅନ୍ୟପକ୍ଷରେ ଛାତ୍ରୀଙ୍କ ପରିବାର ଲୋକ ଭୁବନେଶ୍ୱରରେ ପହଁଚି ନ ଥିବା ଜଣାପଡ଼ିଛି । ତେବେ ପ୍ରାଥମିକ ତଦନ୍ତୁ ଏହା ଏକ ଆତ୍ମହତ୍ୟା ଜନିତ ଘଟଣା ବୋଲି କ୍ୟାପିଟାଲ ଥାନା ଆଇଆଇସି କହିଛନ୍ତି । ତେବେ ଶବ ବ୍ୟବଚ୍ଛେଦ ଏବଂ ତଦନ୍ତ ପରେ ମୃତ୍ୟୁର ପ୍ରକୃତ ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ଆଇଆଇସି କହିଛନ୍ତି ।