ବାରିପଦା: ଶିମିଳିପାଳକୁ ଶିକାରୀ, ମାଓବାଦୀ ଓ କାଠ ମାଫିଆ କବଳରୁ ରକ୍ଷା କରୁଥିବା ତାଲିମ ପ୍ରାପ୍ତ ଦନ୍ତାହାତୀ ‘ମହେନ୍ଦ୍ର’ ଆଉ ଏ ଦୁନିଆରେ ନାହିଁ । ଗତକାଲି ରବିବାର ରାତି ୯ଟା ୪୫ମିନିଟରେ ଚହଲାଠାରେ ମହେନ୍ଦ୍ର ପ୍ରାଣ ହରାଇଛି । ମୃତ୍ୟୁ ବେଳକୁ ତାକୁ ୬୬ ବର୍ଷ ବୟସ ହୋଇଥିଲା । ବାର୍ଦ୍ଧକ୍ୟ ଜନିତ ରୋଗରେ ରୋଗାଗ୍ରସ୍ତ ହୋଇ ତାର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।
୨୦୦୧ ଡିସେମ୍ବର ମାସରେ କର୍ଣ୍ଣାଟକ ରାଜୀବ ଗାନ୍ଧୀ ଜାତୀୟ ଉଦ୍ୟାନ ହାମସୁରା ବନ୍ୟପ୍ରାଣୀ ଡିଭିଜନର ହସ୍ତୀ ପ୍ରକଳ୍ପ ଶିବିରରୁ ତାଲିମ ପ୍ରାପ୍ତ ମହେନ୍ଦ୍ରକୁ ଶିମିଳିପାଳକୁ ଅଣାଯାଇଥିଲା । ଦୀର୍ଘ ୨୪ ବର୍ଷ ହେବ ସେ ନିଜ ଜୀବନକୁ ବାଜି ଲଗାଇ ଶିମିଳିପାଳକୁ ସୁରକ୍ଷା ଦେଉଥିଲା । ୨୦୦୯ ମସିହା ମାର୍ଚ୍ଚ ୩୧ ତାରିଖ ରାତିରେ ଗୁଡ଼ଗୁଡ଼ିଆରେ ମହେନ୍ଦ୍ର ମାଓବାଦୀଙ୍କ ଗୁଳି ଓ ତୀର ମାଡ଼ର ଶୀକାର ହୋଇଥିଲା । ତା ଦେହରେ ୫ଟି ଗୁଳି ବାଜି ଥିଲା । କିନ୍ତୁ ଡାକ୍ତରମାନଙ୍କ ଉତ୍ତମ ଚିକିତ୍ସା ଫଳରେ ସେ ପୁଣି ସୁସ୍ଥ ହୋଇ ଫେରିଥିଲା । ୨୦୧୮ରେ ମଧ୍ୟ ପ୍ରଦେଶରୁ ଆସିଥିବା ବାଘୁଣୀ ସୁନ୍ଦରୀର ସୁରକ୍ଷା କାର୍ଯ୍ୟରେ ମହେନ୍ଦ୍ରକୁ ସାତକୋଶିଆ ଅଭୟାରଣ୍ୟରେ ନିୟୋଜିତ କରାଯାଇଥିଲା । ୪ବର୍ଷ ପରେ ମହେନ୍ଦ୍ର ପୁଣି ଶିମିଳିପାଳକୁ ଫେରିଥିଲା ।
ତେବେ ବୟସାଧିକ ପାଇଁ ମହେନ୍ଦ୍ର ଧିରେ ଧିରେ ରୋଗାଗ୍ରସ୍ତ ହୋଇଥିଲା । ଅନେକ ଚେଷ୍ଟା ଏବଂ ଚିକିତ୍ସା ପରେ ମଧ୍ୟ ମହେନ୍ଦ୍ରକୁ ବଞ୍ଚାଇ ରଖିବା ସମ୍ଭବ ପର ହୋଇ ନ ଥିଲା । ଶେଷରେ ସବୁଦିନ ପାଇଁ ଆଖି ବୁଜି ଦେଇଛି ମହେନ୍ଦ୍ର । ଗତକାଲି ପଶୁ ଚିକିତ୍ସକ ଡାକ୍ତର ଅଭିଳାଷ ଆଚାର୍ଯ୍ୟ ତାର ଚିକିତ୍ସା କରାଇଥିଲେ । ମୃତ୍ୟୁର ପ୍ରକୃତ କାରଣ ଜାଣିବାକୁ ମହେନ୍ଦ୍ରର ଶବ ବ୍ୟବଚ୍ଛେଦ କରାଯିବ ବୋଲି କହିଛନ୍ତି ଶିମିଳିପାଳ ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ ଗୋଗିନେନି ।