ପ୍ରୟାଗରାଜ: ସୋମବାର ପୌଷ ପୂର୍ଣ୍ଣମୀ ଅବସରରେ ପ୍ରୟାଗରାଜ ଠାରେ ପୁଣ୍ୟମୟ ମହାକୁମ୍ଭ ମେଳା ଆରମ୍ଭ ହୋଇଯାଇଛି। ସମଗ୍ର ଭାରତ ତଥା ଦେଶ ବିଦେଶରୁ ଶ୍ରଦ୍ଧାଳୁ ଏହି ବିରଳ ମୁହୂର୍ତ ତଥା ବିଶ୍ୱର ସବୁଠାରୁ ବଡ ଧାର୍ମିକ ମେଳାରେ ସାମିଲ ହୋଇଛନ୍ତି। ଏହି ଅବସରରେ ଆମେରିକୀୟ କମ୍ପାନୀ ଆପଲର ସହ ପ୍ରତିଷ୍ଠାତା ଷ୍ଟିଭ ଜବ୍ସଙ୍କ ପତ୍ନୀ, ଲରେନ ପୱେଲ ଜବ୍ସ ପ୍ରୟାଗରାଜରେ ପହଞ୍ଚି ବିଶ୍ୱର ସର୍ବ ବୃହତ ମେଳାରେ ସାମିଲ ହୋଇଛନ୍ତି। ସେ ନିରଞ୍ଜନୀ ଅଖାଡାର ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର, ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଅନୁଗାମି ଅଟନ୍ତି। ରବିବାର ତାଙ୍କୁ ନିରଞ୍ଜନୀ ଅଖାଡାରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ସହିତ ପାରମ୍ପାରିକ ମସଲା ଚା' ପରଷା ଯାଇଥିଲା। ସେ ଜାନୁଆରୀ ୧୫ ତାରିଖ ପର୍ଯ୍ୟନ୍ତ ନିରଞ୍ଜନୀ ଅଖାଡାରେ ଅବସ୍ଥାନ କରିବେ।
ଲରେନ ଶନିବାର ପ୍ରୟାଗରାଜରେ ପହଞ୍ଚି ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ସହିତ କାଶୀ ବିଶ୍ୱନାଥ ମନ୍ଦିର ପରିଦର୍ଶନରେ ଯାଇଥିଲେ। ଏହି ଆମେରିକୀୟ ଉଦ୍ୟୋଗୀ ମହିଳା ଜଣକ ଇଷତ ହଳଦିଆ ବର୍ଣ୍ଣର ସାଲୱାର ସୁଟରେ ଏବଂ ଗଳାରେ ରୁଦ୍ରାକ୍ଷ ମାଳା ପକାଇ ଥିବାର ଦେଖିବାକୁ ମିଳିଥିଲା। ଲରେନ କାଶୀ ବିଶ୍ୱନାଥ ମନ୍ଦିରର ମୁଖ୍ୟ ମନ୍ଦିର ବାହାରେ ପ୍ରାର୍ଥନା କରିଥିଲେ। ନିରଞ୍ଜନୀ ଅଖାଡାର ସ୍ୱାମୀ କୈଳାଶନନ୍ଦ ଗିରି ମନ୍ଦିରର ଐତିହ୍ୟ ଓ ପରମ୍ପରା ବିଷୟରେ ଲରେନଙ୍କୁ ବୁଝାଇଥିଲେ। କେବଳ ହିନ୍ଦୁ ଧର୍ମାବଲମ୍ବୀ ହିଁ ମନ୍ଦିରରେ ପ୍ରବେଶ କରିପାରିବାର ନିୟମକୁ ଦୃଷ୍ଟିରେ ରଖି ସେ ମୁଖ୍ୟ ମନ୍ଦିର ବାହାରୁ ପ୍ରାର୍ଥନା କରିଥିଲେ।