ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜମ୍ମୁ-କଶ୍ମୀରର ସୋନମର୍ଗ ଗସ୍ତ କାଳରେ ବହୁ ପ୍ରତୀକ୍ଷିତ ପକଳ୍ପ ‘ଜେଡ୍-ମୋର୍ହ ଟନେଲ୍’ର ଲୋକାର୍ପଣ କରିଛନ୍ତି। ସମୁଦ୍ର ପତନଠାରୁ ୮,୬୫୦ ଫୁଟ ଉଚ୍ଚତାରେ ନିର୍ମିତ ଏହି ସୁଡ଼ଙ୍ଗ ଶ୍ରୀନଗରକୁ ଲେହ ସହିତ ଯୋଡ଼ିଛି। ୨୭୦୦ କୋଟିରୁ ଅଧିକ ଟଙ୍କାରେ ନିର୍ମିତ ଏହି ପ୍ରକଳ୍ପ ଲୋକାର୍ପଣ ହେବା ଦ୍ବାରା ଜମ୍ମୁ କଶ୍ମୀରବାସୀ ଓ ପର୍ଯ୍ୟଟକଙ୍କର ସମୟ ପୂର୍ବାପେକ୍ଷା କିଛି ପରିମାଣରେ ହ୍ରାସ ପାଇବ। ସବୁଠାରୁ ବଡ଼ କଥା ହେଲା ଏହି ଟଲେନ୍ ମାଧ୍ୟମରେ ଘଣ୍ଟା ପିଛା ୧୦୦୦ ଗାଡ଼ି ପରିଚାଳନା କରାଯିବ। ମୋଦୀଙ୍କ ଗସ୍ତରେ ଘାଟିରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।
ଏହି ପ୍ରକଳ୍ପର ଲୋକାର୍ପଣ ପୂର୍ବରୁ ପ୍ରଧାନମନ୍ତ୍ରୀ ଉତ୍ସାହିତ ଥିବା ଜଣାଯାଇଛି। ଦିନକ ପୂର୍ବରୁ ସେ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଲେଖିଥିଲେ ଯେ, ସୁଡ଼ଙ୍ଗ ଉଦଘାଟନ ପାଇଁ ସୋନମର୍ଗ ଗସ୍ତକୁ ମୁଁ ଉତ୍ସାହର ସହ ଅପେକ୍ଷା କରିଛି। "ସୁଡ଼ଙ୍ଗ ଉଦଘାଟନ ପାଇଁ ଜମ୍ମୁ-କଶ୍ମୀରର ସୋନମର୍ଗ ଗସ୍ତକୁ ମୁଁ ଉତ୍ସାହର ସହ ଅପେକ୍ଷା କରିଛି।
ପାଖାପାଖି ୧୨ କିଲୋମିଟର ଦୀର୍ଘ ସୋନମର୍ଗ ଟନେଲ ପ୍ରକଳ୍ପ ଲେହ ଯିବା ବାଟରେ ଶ୍ରୀନଗର ଏବଂ ସୋନମର୍ଗ ମଧ୍ୟରେ ସର୍ବକାଳୀନ ଯୋଗାଯୋଗକୁ ବୃଦ୍ଧି କରିବ। ଭୂସ୍ଖଳନ ଏବଂ ହିମସ୍ଖଳନ ମାର୍ଗକୁ ବାଦ୍ ଦେଇ ଗୁରୁତ୍ୱପୂର୍ଣ୍ଣ ଲଦାଖ ଅଞ୍ଚଳକୁ ସୁରକ୍ଷିତ ଏବଂ ନିରବଚ୍ଛିନ୍ନ ପ୍ରବେଶ ସୁନିଶ୍ଚିତ କରିବ। ଏହାବ୍ୟତୀତ ଏହା ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ସହ ସୋନମର୍ଗକୁ ବର୍ଷସାରା ଗନ୍ତବ୍ୟସ୍ଥଳରେ ପରିଣତ କରିବ।
୨୦୨୮ ସୁଦ୍ଧା ଜୋଜିଲା ଟନେଲ ନିର୍ମାଣ କାର୍ଯ୍ୟ ଶେଷ ହେବାକୁ ଥିବାରୁ ଏହି ରାସ୍ତାର ଦୈର୍ଘ୍ୟ ୪୯ କିଲୋମିଟରରୁ ୪୩ କିଲୋମିଟରକୁ ହ୍ରାସ ପାଇବ। ଏହାଦ୍ଵାରା ଯାନବାହନର ବେଗ ଘଣ୍ଟା ପ୍ରତି ୩୦ କିଲୋମିଟରରୁ ୭୦ କିଲୋମିଟରକୁ ବୃଦ୍ଧି ପାଇବ, ଯାହା ଶ୍ରୀନଗର ଉପତ୍ୟକା ଏବଂ ଲଦାଖ ମଧ୍ୟରେ ଜାତୀୟ ରାଜପଥ-୧ ସଂଯୋଗକୁ ସୁନିଶ୍ଚିତ କରିବ। ଏହି ବର୍ଦ୍ଧିତ ଯୋଗାଯୋଗ ପ୍ରତିରକ୍ଷା ଲଜିଷ୍ଟିକ୍ସକୁ ପ୍ରୋତ୍ସାହିତ କରିବ। ଏହା ଜମ୍ମୁ-କଶ୍ମୀର ଏବଂ ଲଦାଖରେ ଅର୍ଥନୈତିକ ବିକାଶ ଏବଂ ସାମାଜିକ-ସାଂସ୍କୃତିକ ଏକୀକରଣକୁ ପ୍ରୋତ୍ସାହିତ କରିବ।