ବରଗଡ: ଆଜି ଶେଷ ହେବ ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ଅନ୍ତିମ ଦିନରେ କୃଷ୍ଣ ବଳରାମଙ୍କ ସହ ଗୋପାଳ ବାଳକଙ୍କ ମଥୁରା ଭ୍ରମଣ, କୁବଳୟା ହସ୍ତିବଧ, ଚାଣୁର ଓ ମୁଷ୍ଟିକ ଆଦି ଅଷ୍ଟମଲ୍ଲ ବଧ, ଶିବଧନୁ ଭଗ୍ନ , କଂସ ବଧ ଓ ଉଗ୍ରସେନଙ୍କ ରାଜ୍ୟାଭିଷେକ, ମଥୁରା କାରାଗାରରୁ ଦେବକୀ-ବସୁଦେବଙ୍କୁ ମୁକ୍ତି ଆଦି ଦୃଶ୍ୟ ଅଭିନୀତ ହେବ । ଏବଂ କଂସ ବଦ୍ଧରେ ସମଗ୍ର ମଥୁରା ଓ ଗୋପପୁରରେ ଆନନ୍ଦର ଲହରୀ ସହ ସମାପନ ହେବ ଧନୁଯାତ୍ରା । ସୋମବାର ଧନୁଯାତ୍ରାର ଦଶମ ଦିନରେ ଅକୃରଙ୍କ ସହିତ ମଥୁରାରେ ପହଞ୍ଚିଥିଲେ ବନବିହାରୀ ।
ପ୍ରଭୁଙ୍କୁ ଭବ୍ୟସ୍ୱାଗତ କରାଯିବା ସହ ଆନନ୍ଦ ଉହ୍ଲାସର ସହିତ ଖୁସିରେ ନାଚି ଉଠିଛନ୍ତି ମଥୁରାବାସୀ । ଆଦିମାତା ମନ୍ଦିର ସ୍ଥିତ ମଧୁବନ ତୋଟାରୁ ବାଙ୍କବିହାରୀ ମଥୁରା ଭ୍ରମଣ କରିଥିଲେ । କୃଷ୍ଣ ବଳରାମଙ୍କ ପଛରେ ମଥୁରାର ଆବାଳ ବୃଦ୍ଧ ବନିତା ବାହାରି ନଗର ଭ୍ରମଣ କରିଥିଲେ । ବାଟରେ ନୈବେଦ୍ୟ, ଫୁଲ, ଦୀପ, ଚନ୍ଦନରେ ପୂଜା କରି ମଥୁରାବାସୀ ଶ୍ରୀକୃଷ୍ଣବଳରାମଙ୍କୁ ସ୍ୱାଗତ କରିଥିଲେ । ତା ସହ କଂସର ଆତଙ୍କରୁ ରକ୍ଷା କରିବା ପାଇଁ ନିବେଦନ କରିଥିଲେ ।
ଖଜୁରଟିକ୍ରାରେ ଥିବା ରାଜକୀୟ ବଗିଚାରେ ପ୍ରଭୁଙ୍କ ସହ ସୁଦାମା ମାଳିଙ୍କ ଭେଟ ହୋଇଥିଲା । ଶ୍ୟାମାକାଳୀ ମନ୍ଦିରରେ କୁବୁଜା ଉଦ୍ଧାର ଅଭିନିତ ହୋଇଥିଲା। ପ୍ରଭୁ ହାତରେ ସ୍ୱର୍ଶରେ ସୁନ୍ଦରୀ ନାରୀରେ ପରିଣତ ହୋଇଥିଲେ କୁବୁଜା । ଧନୁଯାତ୍ରାର ଦଶମଦିନରେ ମହାରାଜା କଂସ ନଗର ଭ୍ରମଣ କରିବା ସହ ରଂଗ ମହଲରେ ନାଚ ଗୀତର ଆସର ହୋଇଥିଲା। ମହାରାଜା କଂସ ନିଦ୍ରାରେ ଥିବା ବେଳେ ସ୍ୱପ୍ନରେ ଭଗବାନ କୃଷ୍ଣଙ୍କୁ ଦେଖି ବ୍ୟତିବ୍ୟସ୍ତ ହୋଇପଡ଼ିଛନ୍ତି।