ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ନୂଆଦିଲ୍ଲୀ ଗସ୍ତ କରିବେ । ଅପରାହ୍ନରେ ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ କରିବା ନେଇ ବିଜ୍ଞାନ ଭବନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହେବ । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ ପି ନଡ୍ଡା ପ୍ରମୁଖ ଉପସ୍ଥିତ ରହିବେ ।
ଚଳିତ ଆର୍ଥିକ ବର୍ଷର ମାର୍ଚ୍ଚ ମାସ ଶେଷ ସୁଦ୍ଧା ଓଡ଼ିଶାରେ ଆୟୁଷ୍ମାନ କାର୍ଡ ବଣ୍ଟନ କରାଯିବ । ରାଜ୍ୟ ସରକାର ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓ ଆୟୁଷ୍ମାନ ଯୋଜନା ଲାଗୁ କରାଯିବ । ଏହା ଦ୍ୱାରା ମହିଳାଙ୍କ ପାଇଁ ୧୦ ଲକ୍ଷ ଓ ପୁରୁଷଙ୍କ ପାଇଁ ୫ ଲକ୍ଷ ପର୍ଯ୍ୟନ୍ତ ମାଗଣାରେ ଚିକିତ୍ସା ସୁବିଧାର ଲାଭ ଉଠାଇପାରିବେ । ଏହା ଦ୍ୱାରା ରାଜ୍ୟ ସହିତ ସାରା ଦେଶରେ ୨୭ ହଜାର ଡାକ୍ତରଖାନାରେ ଏହି କାର୍ଡକୁ ବ୍ୟବହାର କରାଯାଇପାରିବ । ସମ୍ପର୍ଣ୍ଣ କ୍ୟାସ୍ ଲେସ୍ (ଟଙ୍କା ଦେବାକୁ ପଡ଼ିବ ନାହିଁ) ରହିବ । ପୂର୍ବ ସରକାର ଆରମ୍ଭ କରିଥିବା ବିଜୁ ସ୍ୱାସ୍ଥ୍ୟ କାର୍ଡକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବ ।
ଏହାକୁ ନେଇ ମୁଖ୍ୟମନ୍ତ୍ରୀ ତାଙ୍କ ସୋସିଆଲ୍ ମିଡ଼ିଆରେ କହିଛନ୍ତି, "ରାଜ୍ୟରେ ଆହୁରି ସୁଦୃଢ଼ ହେବ ସ୍ୱାସ୍ଥ୍ୟସେବା। ଭାରତ ସରକାରଙ୍କ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ରାଜ୍ୟ ସରକାରଙ୍କ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ସମନ୍ୱିତ କାର୍ଯ୍ୟାନ୍ୱୟନ ନିମନ୍ତେ ବୁଝାମଣା ପତ୍ର ସ୍ୱାକ୍ଷରିତ ହେବାକୁ ଯାଉଛି। ଏହି ବ୍ୟବସ୍ଥା ଲୋକଙ୍କୁ ଗୁଣାତ୍ମକ ଏବଂ ସାର୍ବଜନୀନ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।"
ଅନ୍ୟପକ୍ଷରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ୱିତୀୟ ପର୍ଯ୍ୟାୟ ଆୟୁଷ୍ମାନ ଯୋଜନାର ଶୁଭାରମ୍ଭ କରିବେ । ଭିଡ଼ିଓ କନଫରେନ୍ସିଂ ଜରିଆରେ ଏହାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ତେବେ ଓଡ଼ିଶାରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଆୟୁଷ୍ମାନ ଯୋଜନା ଲାଗୁ କରାଯିବ ।