ନୂଆଦିଲ୍ଲୀ : ଓଡ଼ିଶାରେ ଆଇଟି (IT )ପ୍ରଫେସନାଲଙ୍କର ଅଭାବ ନାହିଁ । ଓଡ଼ିଶାକୁ ଆଗାମୀ ଦିନରେ ଏକ ବଡ଼ ଆଇଟି (IT)ହବ୍ କରିବା ଲକ୍ଷ୍ୟ ରହିଛି । ଏନେଇ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ସଚିବଙ୍କ ସହ ଆଲୋଚନା ହୋଇଛି । ଆଜି ଆୟୁଷ୍ମାନ ପାଇଁ MoU ବେଳେ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି ।
ଏହି ଅବସରରେ ସେ କହିଛନ୍ତି କି ଓଡ଼ିଶାକୁ ଆଗାମୀ ଦିନରେ ଏକ ବଡ଼ IT ହବ୍ କରିବା ଲକ୍ଷ୍ୟ ରହିଛି । ମୁଁ ବିଭିନ୍ନ IT କ୍ଷେତ୍ରକୁ ଯାଇ ଓଡ଼ିଶା ଆସିବାକୁ ନିମନ୍ତ୍ରଣ କରିଛି । ଓଡ଼ିଶାରେ ଥିବା ଟ୍ୟାଲେଣ୍ଟଙ୍କ ଠାରୁ ଫାଇଦା ପାଇଦା ପାଇଁ କହିଛି । ଓଡ଼ିଶାରେ ୪ଟି ଶିକ୍ଷାନୁଷ୍ଠାନରେ ସେମି କଣ୍ଡକ୍ଟର ଶିକ୍ଷା ଆରମ୍ଭ ହୋଇଛି ଏବଂ ଆଉ ୫ଟି କଲେଜରେ ସେମି କଣ୍ଡକ୍ଟର ଶିକ୍ଷା ପାଇଁ ପ୍ରସ୍ତାବ ଦେଉଛି । ଓଡ଼ିଶାରେ ରେଳ ଭିତ୍ତିଭୂମି କ୍ଷେତ୍ରରେ ମଧ୍ୟ ବିକାଶ ଜାରି ରହିଛି । ବର୍ତ୍ତମାନ ୭୩ ହଜାର କୋଟି ଟଙ୍କାର ପ୍ରକଳ୍ପ ନିର୍ମାଣ ଚାଲିଛି ବୋଲି କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ।
ସୂଚନାଯୋଗ୍ୟ ଓଡ଼ିଶାରେ ଲାଗୁ ହେଲା ଆୟୁଷ୍ମାନ ଭାରତ। ଆଜି ନୂଆଦିଲ୍ଲୀ ବିଜ୍ଞାନ ଭବନରେ ଏହି ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ଏଥିପାଇଁ ରାଜ୍ୟ ଓ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗି ହିତାଧିକାରୀଙ୍କୁ ଗୋଟିଏ କାର୍ଡ ଦିଆଯିବ ବୋଲି ଓଡ଼ିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଏହି ଅବସରରେ ସୂଚନା ଦେଇଛନ୍ତି। ଆଜି ଏହି ଚୁକ୍ତିନାମା ସ୍ବାକ୍ଷରିତ ହେବା ଅବସରରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେ ପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ୍ ଓରାମ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ।