ଭୁବନେଶ୍ୱର: ୧୯୭୫ ମସିହାରେ ତତ୍କାଳୀନ ଇନ୍ଦିରା ଗାନ୍ଧୀ ସରକାର ଲାଗୁ କରିଥିବା ଜରୁରୀକାଳୀନ ପରିସ୍ଥିତିରେ ଯେଉଁମାନେ ଜେଲ୍ ଯାଇଥିଲେ ସେମାନଙ୍କ ପାଇଁ ଆସିଛି ବଡ଼ ଖବର । ଜରୁରୀ ପରିସ୍ଥିତିରେ ସରକାର ବିରୋଧରେ ଲଢ଼ି ଯେଉଁମାନେ ଜେଲରେ ଅଟକ ଥିଲେ ସେମାନଙ୍କୁ ରାଜ୍ୟ ସରକାର ଭତ୍ତା ପ୍ରଦାନ କରିବେ । ସମସ୍ତ ଜୀବିତ ବ୍ୟକ୍ତିଙ୍କୁ ରାଜ୍ୟ ସରକାର ମାସିକ ୨୦ ହଜାର ଟଙ୍କା ଲେଖାଏଁ ଭତ୍ତା ପ୍ରଦାନ କରିବାକୁ ସୋମବାର ଘୋଷଣା କରିଛନ୍ତି ।
୧୯୭୫, ଜୁନ ୨୫ରୁ ୧୯୭୭ ମସିହା ମାର୍ଚ୍ଚ ୨୧ ତାରିଖ ମଧ୍ୟରେ ଜରୁରୀକାଳୀନବେଳେ ଯେଉଁ ବ୍ୟକ୍ତି ଜେଲ ଯାଇଥିଲେ ସେମାନଙ୍କୁ ମାସରୁ ୨୦,୦୦୦ ଟଙ୍କା ଲେଖାଏଁ ଭତ୍ତା ପ୍ରଦାନ କରାଯିବ । ୨୦୨୫ ଜାନୁୟାରୀ ୧ ତାରିଖ ପର୍ଯ୍ୟନ୍ତ ଜୀବିତ ଥିବା ସଂଗ୍ରାମୀଙ୍କୁ ଭତ୍ତା ପ୍ରଦାନ କରାଯିବ । ଭାରତୀୟ ନିୟମ ଅଧିନସ୍ଥ ଅନ୍ତରୀଣ ସୁରକ୍ଷା ପରିଚାଳନା ଆଇନ (MISA) କିମ୍ବା ଭାରତୀୟ ପ୍ରତିରକ୍ଷା ଆଇନ (DIR) କିମ୍ବା ଭାରତୀୟ ପ୍ରତିରକ୍ଷା ଓ ଅନ୍ତରୀଣ ସୁରକ୍ଷା ନିୟମ (DISIR) ଅନୁସାରେ ଜେଲ୍ ଯାଇଥିବା ବ୍ୟକ୍ତି ଏହି ଭତ୍ତାର ଲାଭ ପାଇବେ । ଏହା ସହିତ ସେମାନଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ । ଏ ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବ ।