ଭୁବନେଶ୍ୱର: ସମସ୍ତ ପ୍ରତୀକ୍ଷାର ଅନ୍ତ ଘଟିଛି । ଓଡ଼ିଶାରେ ଲାଗୁ ହୋଇଛି ଆୟୁଷ୍ମାନ ଭାରତ ଯୋଜନା । ଆଜିର ଦିନ ଓଡ଼ିଶା ପାଇଁ ଏକ ଐତିହାସିକ ଦିନ ହୋଇ ରହିବ । ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାକୁ ଓଡ଼ିଶାକୁ ଆଣିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ ପି ନଡ୍ଡାଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଭାରତ ସରକାରଙ୍କ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ରାଜ୍ୟ ସରକାରଙ୍କ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ସମନ୍ୱିତ କାର୍ଯ୍ୟାନ୍ୱୟନ ନିମନ୍ତେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ନୂଆଦିଲ୍ଲୀର ବିଜ୍ଞାନ ଭବନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସୋମବାର ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ ପି ନଡ୍ଡା, ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳ ମନ୍ତ୍ରୀ ଅଶ୍ୱୀନୀ ବୈଷ୍ଣବ ଓ ସାଂସଦ ଜୁଏଲ ଓରାମ ପ୍ରମୁଖଙ୍କ ଉପସ୍ଥିତିରେ ଏମଓୟୁ ସ୍ୱାକ୍ଷରିତ ହୋଇଛି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ଆୟୁଷ୍ମାନ ଭାରତ ଯୋଜନା ଦ୍ୱାରା ଓଡ଼ିଶାର ୮୬ ପ୍ରତିଶତ ଲୋକ ଲାଭାନ୍ୱିତ ହେବେ । ସ୍ୱାସ୍ଥ୍ୟ କ୍ଷେତ୍ରରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏହି ଅଭିଯାନ ଆଗାମୀ ଦିନରେ ଶିଖରକୁ ଛୁଇଁବ । ୨୦୧୮ରୁ ସାରା ଦେଶରେ ଆୟୁଷ୍ମାନ ଭାରତ ଲାଗୁ କରାଗଲାଣି । ରାଜନୈତିକ କାରଣ ପାଇଁ ୩ଟି ରାଜ୍ୟ ସରକାର ଏହାକୁ ଲାଗୁ କରି ନ ଥିଲେ । ସେଥିପାଇଁ ରାଜ୍ୟବାସୀ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅନେକ ସୁବିଧା ପାଇବାରୁ ବଞ୍ଚିତ ହେଉଥିଲେ । କିନ୍ତୁ ନୂତନ ସରକାର ଆସିବା ପରେ ଏହାକୁ ଯଥାଶୀଘ୍ର ଲାଗୁ କରିବାକୁ ପ୍ରକ୍ରିୟା ଆରମ୍ଭ କରିଥିଲେ । ସେହିପରି ଗ୍ରାମାଞ୍ଚଳରେ ସ୍ଵାସ୍ଥ୍ୟ ସେବା ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛୁ । ଆୟୁଷ୍ମାନ ଭାରତ ମନ୍ଦିରରେ ଜଣେ ଯୋଗ ଶିକ୍ଷକ ରହିବେ । ସ୍ଵାସ୍ଥ୍ୟକର୍ମୀଙ୍କ ସହ ଅନ୍ୟ ସୁବିଧା ସୁଯୋଗ ମଧ୍ୟ ଯୋଗାଇ ଦେବୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ।
ସେହିପରି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ବିରୋଧୀଦଳରେ ଥିଲା ବେଳେ ଲାଗୁ କରିବାକୁ ଦାବି କରିଥିଲୁ । କିନ୍ତୁ ତତ୍କାଳୀନ ସରକାର ଲାଗୁ କରି ନ ଥିଲେ । ସରକାରକୁ ଆସିବା ପରେ ଆମେ ପ୍ରତିଶ୍ରୁତି ପାଳନ କଲୁ । ୧.୩ କୋଟି ପରିବାରର ସାଢ଼େ ୩ କୋଟି ଲୋକ ଉପକାର ପାଇବେ । ଗୋପବନ୍ଧୁ ଜନ ଆରୋଗ୍ୟ ସହ ଆୟୁଷ୍ମାନ ଭାରତ ଗୋଟିଏ କାର୍ଡରେ ମିଳିବ । ସାରା ଦେଶରେ ଯିଏ ଯେଉଁଠି ଥିଲେ ବି ଏହାର ସୁଯୋଗ ପାଇବେ । ଦେଶର ୩୦ ହଜାର ହସ୍ପିଟାଲ୍ରେ ସୁବିଧା ମିଳିବ । ଏହା ଦ୍ୱାରା ମହିଳାଙ୍କ ପାଇଁ ୧୦ ଲକ୍ଷ ଓ ପୁରୁଷଙ୍କ ପାଇଁ ୫ ଲକ୍ଷ ପର୍ଯ୍ୟନ୍ତ ମାଗଣାରେ ଚିକିତ୍ସା ସୁବିଧାର ଲାଭ ଉଠାଇପାରିବେ ବୋଲି କହିଛନ୍ତି ମୁକେଶ ମହାଲିଙ୍ଗ ।