ଉଦଳା: ପାଣି ସୁଅରେ ବାଇକ ସହିତ ଭାସିଗଲେ ଯୁବକ। ହେଲେ ଭରା ନଦୀ ଭିତରୁ ପହଁରି ନିଜ ଜୀବନ ବଞ୍ଚାଇଦେଲେ ଯୁବକ। ବାଲେଶ୍ୱର ରାସ୍ତାର ଜାମୁଘାଟ ଅସ୍ଥାୟୀ ପୋଲ ଉପରେ ଯାଉଥିବା ବେଳେ ଘଟିଛି ଏଭଳି ଅଘଟଣ। ତେବେ ଉକ୍ତ ଯୁବକ ନିକଟସ୍ଥ ଗ୍ରାମର ରାସଗୋବିନ୍ଦପୁର ଅଞ୍ଚଳର ମାନସିଂ ହେମ୍ବ୍ରମ ବୋଲି ସୂଚନା ମିଳିଛି। ଅତି ବେପରୁଆ ଭାବେ ନଦୀ ସୁଅରେ ପଶି ପାର ହେବା ମାନ ସିଂ ହେମ୍ବ୍ରମଙ୍କ ପାଇଁ ମହଙ୍ଗା ପଡିଥିଲା।
ସୂଚନା ଅନୁସାରେ, ଲଗାଣ ବର୍ଷା କାରଣରୁ ଫୁଲିଛି ଦେଓ ନଦୀ। ଯାହା ଫଳରେ କଇଁସାରି ଜାମୁଘାଟ ଅସ୍ଥାୟୀ ପୋଲ ଉପରେ ୨ ଫୁଟର ପାଣି ପ୍ରବାହିତ ହୋଇଛି। ହେଲେ ସନ୍ଧ୍ୟା ସମୟରେ ରାସଗୋବିନ୍ଦପୁର ଅଞ୍ଚଳର ମାନସିଂ ହେମ୍ବ୍ରମ ସେହି ଅସ୍ଥାୟୀ ପୋଲ ଉପରେ ପାଣି ସୁଅରେ ପଶି ପାର ହେଉଥିଲେ। ହେଲେ ସୁଅରେ ବାଇକ ସହିତ ସେ ପୋଲ ଉପରୁ ଭାସି ଯାଇଥିଲେ। ପୋଲରୁ ଖସି ନଦୀ ଭିତରେ ପଶିବା ପରେ ଭରା ନଦୀରୁ ପହଁରି ନିଜେ କୂଳକୁ ପଳାଇ ଆସି ଜୀବନ ରକ୍ଷା କରିଥିଲେ ମାନସିଂ। ହେଲେ ବାଇକ ସହିତ ବ୍ୟାଗ ଏବଂ ମୋବାଇଲ ସବୁ ନଦୀରେ ଭାସି ଯାଇଥିଲା।