ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟରେ ଆସନ୍ତାକାଲି ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି । ବକ୍ଷିଣ ପଶ୍ଚିମ ମୌସୁମୀ ରାଜ୍ୟରେ ସକ୍ରିୟ ଥିବାରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସହିତ ବିଜୁଳି, ଘଡଘଡି ହେବାର ସମ୍ଭାବନା ରହିଛି । ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡ଼ି ନେଇ ୫ଜିଲ୍ଲା ଗଞ୍ଜାମ, ଗଜପତି, କେନ୍ଦୁଝର, ସୁନ୍ଦରଗଡ଼ ଏବଂ ମୟୂରଭଞ୍ଜକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଟ୍ୱିନ ସିଟି କଟକ ଓ ଭୁବନେଶ୍ୱରରେ ପ୍ରବଳ ବର୍ଷା ହୋଇଥିଲା । ଗତକାଲି ଲଘୁଚାପ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ସହ ବିଜୁଳି, ଘଡଘଡି ହୋଇଥିଲା । ଆଗାମୀ ଦୁଇ ଦିନ କିଛି ଅଞ୍ଚଳରେ ବର୍ଷା ଜାରି ରହିବ, କିନ୍ତୁ ଏହାର ପ୍ରଭାବ କମ୍ ହେବ। ଉପକୂଳ ଅଞ୍ଚଳରେ ପାଗ ସୁଧୁରିବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ତେବେ ଉତ୍ତର ଓଡ଼ିଶାର କିଛି ଆଭ୍ୟନ୍ତରୀଣ ଅଞ୍ଚଳରେ ହଠାତ୍ ବର୍ଷା, ବିଜୁଳି ଓ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି ବୋଲି ବିଭାଗ ସତର୍କ କରିଛି। ଉପକୂଳ ଅଞ୍ଚଳ ପାଇଁ ଆଇଏମଡି କୌଣସି ବର୍ଷା ଚେତାବନୀ ଜାରି କରିନାହିଁ। ଖୁବଶୀଘ୍ର ପାଗରେ ପରିବର୍ତ୍ତନ ହେବ ।
ଅନ୍ୟପଟେ ବର୍ଷା କମିଥିବାରୁ ବର୍ତ୍ତମାନ ରାଜ୍ୟରେ କୌଣସି ସ୍ଥାନରେ ବନ୍ୟା ଆଶଙ୍କା ନାହିଁ ବୋଲି ସୂଚନା ମିଳିଛି । ବ୍ରାହ୍ମଣୀ, ବୈତରଣୀ, ଋୁଷିକୂଲ୍ୟା, ବଂଶଧରା ଏବଂ ବୁଢ଼ାବଳଙ୍ଗ ନଦୀରେ ହୋଇଥିବା ବନ୍ୟା ଧୀରେ ଧୀରେ କମିବାରେ ଲାଗିଛି ।