ଭୁବନେଶ୍ୱର: ଶନିବାର ଦିଲ୍ଲୀରୁ ଫେରିବାର କେଇ ଘଣ୍ଟା ନ ଯାଉଣୁ ପୁଣି ଦିଲ୍ଲୀ ଗଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଦିଲ୍ଲୀରୁ ଡାକରା ଆସିବାରୁ ସେ ବିଳମ୍ବିତ ରାତିରେ ପୁଣି ଥରେ ଦିଲ୍ଲୀ ଯାଇଛନ୍ତି । ଦିଲ୍ଲୀରେ କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ମନମୋହନ ଠିକ୍ ସେହି ସମୟରେ ଦିଲ୍ଲୀ ଯାଇଛନ୍ତି ଯେତେବେଳେ ଆଜି ବିଜେଡି ସଭାପତି ନବୀନ ପଟ୍ଟନାୟକ ମଧ୍ୟ ଦିଲ୍ଲୀ ଯାଇଛନ୍ତି । ତେବେ ସେ ଅଚାନକ କାହିଁକି ଦିଲ୍ଲୀ ଗଲେ ସେ ନେଇ ଦଳ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ ।
ସୂଚନାଯୋଗ୍ୟ, ଗତକାଲି ଦିଲ୍ଲୀରୁ ଫେରିଥିଲେ ମନମୋହନ ସାମଲ । ଦଳ ସଂଗଠନ ଏବଂ ରାଜ୍ୟ ଟିମ୍ ଗଠନ ନେଇ ସେ କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ଆଲୋଚନା କରିଥିଲେ । ସେ ଶନିବାର ଦିଲ୍ଲୀରୁ ଫେରିବା ପରେ କହିଥିଲେ ଯେ, ଦିଲ୍ଲୀରେ ରାଜ୍ୟ ସଂଗଠନ ବିଷୟରେ ଆଲୋଚନା ହୋଇଛି । ଠିକ୍ ସମୟରେ ରାଜ୍ୟ ଟିମ୍ ଗଠନ କରାଯିବ ।
ଦିଲ୍ଲୀରେ କେନ୍ଦ୍ରୀୟ ନେତୃତ୍ୱ ଏବଂ ରାଜ୍ୟ ପ୍ରଭାରୀଙ୍କ ସହ ଆଲୋଚନା ହୋଇଛି । ପୁଣି ଥରେ ଦିଲ୍ଲୀ ଯିବି । ରାଜ୍ୟ ବିଜେପି ସଂଗଠନ ଠିକ୍ ଅଛି । କୌଣସି ଗ୍ରହଣ ଲାଗିନି । ଠିକ୍ ସମୟରେ ଟିମ୍ ଗଠନ ହେବ । ରାଜ୍ୟନୀତିରେ କିଛି ଲୁଚାଛପା ନାହିଁ । ମନ୍ତ୍ରିମଣ୍ଡଳ ସଂପ୍ରସାରଣ ସହ ଟିମ୍ ଗଠନ କିଛି ବି ଲୁଚାଛପାରେ ହୁଏ ନାହିଁ । ସବୁ କିଛି ଖୋଲାଖୋଲିରେ ହେବ ବୋଲି କହିଥିଲେ ।
ବିଜେପି କିଛି ନିଷ୍ପତ୍ତି ନେଇ ପାରୁ ନାହିଁ ? ବିଜେଡିର ଏହି ଅଭିଯୋଗ ଉପରେ ମନମୋନ ସାମଲ କହଥିଲେି, ବିଜେଡି ନିଷ୍ପତ୍ତି ନେଇ ପାରୁ ନ ଥିଲା ବୋଲି କ୍ଷମତାଚ୍ୟୁତ ହେଲେ । ୨୪ ବର୍ଷର ସରକାର ଚାଲିଗଲା । ଆମେ ନିଷ୍ପତ୍ତି ନେଇଛୁ ବୋଲି ସରକାରକୁ ଆସିଛୁ ଏବଂ ଚାଲିବ ।