ଭୁବନେଶ୍ୱର: ଆଜି ଚନ୍ଦ୍ରଗ୍ରହଣ । ଭାଦ୍ରବ ପୂର୍ଣ୍ଣିମା ବା ଇନ୍ଦୁ ପୂର୍ଣ୍ଣିମାରେ ଚନ୍ଦ୍ରକୁ ଗ୍ରାସ କରିବ ରାହୁ । ଏହା ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ । ଆଜି ରାତି ୯ଟା ୫୮ରେ ଗ୍ରହଣ ସ୍ପର୍ଶ ଏବଂ ମଧ୍ୟ ରାତ୍ର ୧ଟା ୨୮ରେ ଗ୍ରହଣ ଶେଷ । ଚନ୍ଦ୍ରଗ୍ରହଣର ୯ ଘଣ୍ଟା ପୂର୍ବରୁ ଅର୍ଥାତ୍ ମଧ୍ୟାହ୍ନ ୧୨ଟା ୫୮ରେ ପାକତ୍ୟାଗ । ଏହା ସହ ସମସ୍ତ ଶୁଭ କାର୍ଯ୍ୟ ବାରଣ । ୬ ମାସ ଭିତରେ ଦୁଇ ଦୁଇଟି ଚନ୍ଦ୍ର ଗ୍ରହଣ ଭାଦ୍ରବ ମାସ ପୂର୍ଣ୍ଣମୀ ତିଥିରେ ରାହୁ ଗ୍ରସ୍ତ ଚନ୍ଦ୍ର ଗ୍ରହଣ ପଡୁଥିବା ବେଳେ ଆସନ୍ତାବର୍ଷ ଦୋଳପୂର୍ଣ୍ଣମୀରେ କେତୁ ଗ୍ରସ୍ତ ଚନ୍ଦ୍ର ଗ୍ରହଣ ପଡୁଛି। ଯାହା ଦେଶ ପାଇଁ ଶୁଭଙ୍କର ନୁହେଁ ବୋଲି କିଛି ଜ୍ୟୋର୍ତିବିଦ ଗଣନା କରି କହିଛନ୍ତି ।
ଚନ୍ଦ୍ରଗ୍ରହଣ ସମୟରେ ଦେବ କାର୍ଯ୍ୟ ସମେତ ଅନ୍ୟ କାର୍ଯ୍ୟ କରିବାକୁ ବାରଣ କରାଯାଇଥାଏ । କର୍କଟ, କନ୍ୟା, କୁମ୍ଭ, ମୀନ ରାଶିରେ ଗ୍ରହଣ ଦର୍ଶନ ଅଶୁଭ ବୋଲି ଜ୍ୟୋର୍ତିବିଦ ମତ ଦେଇଛନ୍ତି । ଅନ୍ୟ ରାଶିର ଲୋକମାନେ ଚନ୍ଦ୍ରଗ୍ରହଣ ଦର୍ଶନ କରିପାରିବେ । ଯେତେବେଳେ ଚନ୍ଦ୍ର, ପୃଥିବୀ ଓ ସୂର୍ଯ୍ୟ ଏକ ସିଧା ରେଖାରେ ଆସିଥା’ନ୍ତି ସେତେବେଳେ ସୂର୍ଯ୍ୟଙ୍କ ଆଲୋକ ପୃଥିବୀ ଉପରେ ତ ପଡ଼ିଥାଏ କିନ୍ତୁ ଚନ୍ଦ୍ର ଉପରେ ପଡ଼ିନଥାଏ । ଏହାଦ୍ୱାରା ପୃଥିବୀର ଛାଇ ଚନ୍ଦ୍ର ଉପରେ ପଡ଼ିଥାଏ । ଏହି ଘଟଣାକୁ ହିଁ ଚନ୍ଦ୍ରଗ୍ରହଣ କୁହାଯାଏ ।