ଅଙ୍ଗଦାନ କରି ଦୁଇଜଣଙ୍କୁ ନୂଆ ଜୀବନ ଦେଲେ ବୀରେନ୍ଦ୍ର ପ୍ରସାଦ ସ୍ୱାଇଁ। ଅଙ୍ଗଦାନ କରି ଅମର ହୋଇ ରହିଗଲେ ବୀରେନ୍ଦ୍ର । ଏଭଳି ଘଟଣା ସାମ୍ନାକୁ ଆସିଛି କଟକ ବଡ଼ ଡାକ୍ତରଖାନାରୁ । ତାଙ୍କର ଏଭଳି ମହାନ କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରୁଛନ୍ତି ।
ସୁଚନା ଅନୁଯାୟୀ,ଜଗତସିଂହପୁର ରଘୁନାଥପୁର ଅଞ୍ଚଳର ବାସିନ୍ଦା ହେଉଛନ୍ତି ବୀରେନ୍ଦ୍ର ପ୍ରସାଦ ସ୍ୱାଇଁ । ଗତ ରବିବାର ଦୁର୍ଘଟଣାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ଏସସିବି ମେଡିକାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଦୁର୍ଭାଗ୍ୟବଶତଃ ସୋମବାର ଡାକ୍ତରମାନେ ତାଙ୍କୁ ବ୍ରେନ୍ ଡେଡ୍ ଘୋଷଣା କରିଥିଲେ।
ଏହା ପରେ ପରିବାର ଲୋକଙ୍କ ସହମତିରେ ଅଙ୍ଗଦାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏସସିବି ମେଡିକାଲର ୟୁରୋଲୋଜି ଓ ନେଫ୍ରୋଲୋଜି ବିଭାଗର ମିଳିତ ସହଯୋଗରେ କିଡନୀ ପ୍ରତିରୋପଣ କରାଯାଇଥିଲା। ପରେ ଗୋଟିଏ କିଡନୀ ଏସସିବିରେ ରଖାଯାଇଥିଲା। ପରେ ଅନ୍ୟ କିଡନୀକୁ ଗ୍ରୀନ କରିଡରରେ ଏମ୍ସ ନିଆଯାଇଥିଲା।