କାର୍ତ୍ତିକ ମାସ ଆରମ୍ଭରୁ ହିଁ ପରିବା ଦର ହୁ ହୁ ହୋଇ ବଢିବାରେ ଲାଗିଛି । ପୂଣ୍ୟ ମାସ ଭାବେ କାର୍ତ୍ତିକ ମାସରେ ସଂଖ୍ୟାଧିକ ଘରେ ଆମିଷ ନିଷେଧ ଥାଏ । ଏଣୁ ସାଧା ବା ନିରାମିଷ ଖାଦ୍ୟ ପାଇଁ ପନିପରିବା ଉପରେ ଅଧିକ ନିର୍ଭରଶୀଳ ହୋଇ ପଡୁଛନ୍ତି ଲୋକେ । ହେଲେ ଗତ କିଛି ଦିନରେ ପନିପରିବା ଦର ବେଶ୍ ଦର ବୃଦ୍ଧି ପାଇଛି, ଯାହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି | ପରିବା ଦରବୃଦ୍ଧିକୁ ନେଇ ସବୁ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ତେବେ ଅନ୍ୟ ଉପାୟ ନଥିବାରୁ ଲୋକେ ପୂର୍ବାପେକ୍ଷା କମ୍ ପରିମାଣର ପନିପରିବା ନେଇ କାମ ଚଳାଇବାକୁ ବାଧ୍ୟ ହେଉଛନ୍ତି । ପକେଟରୁ ଅଧିକ ଟଙ୍କା ଯାଉଛି, ମାତ୍ର ବ୍ୟାଗରେ ପରିବା ଭର୍ତ୍ତି ହେଉନି । ଗତ କିଛି ଦିନରେ ପରିବା ଦର ଢେର ଅଧିକ ରହିଥିବାରୁ ଖାଉଟିଙ୍କ ପକେଟକୁ ଢିଲା କରୁଛି ବୋଲି ଜନସାଧାରଣରେ ମତ ପ୍ରକାଶ ପାଇଛି । ପରିବା ବଜାରରେ ଆଳୁ ଦର କିଲୋ ପିଛା ୨୫ ଟଙ୍କା ରହିଥିବା ବେଳେ ପିଆଜ ୭୦, ଟମାଟୋ ୪୦ରୁ ୪୫, ଫୁଲକୋବି ୮୦, ବିନ୍ସ ୧୦୦ ରୁ ୧୨୦, ପୋଟଳ ୬୦, ସାରୁ ୪୦, ଭେଣ୍ଡି ୪୦, ବନ୍ଧାକୋବି ୪୦ଟଙ୍କା, ଦେଶୀ ଆଳୁ ୫୦ ଟଙ୍କା, ବାଇଗଣ ୬୦, ଜହ୍ନି ୪୦, କଖାରୁ ଓ ଭଣ୍ଡା ୨୫ରୁ ୩୦ ଟଙ୍କା , କଞ୍ଚା ଲଙ୍କା ୧୪୦ ଟଙ୍କା ଦରରେ ବିକ୍ରି ହେଉଛି । କାର୍ତ୍ତିକରେ ହବିଷ୍ୟାଳୀଙ୍କ ରୋଷେଇରେ ବ୍ୟବହୃତ କଞ୍ଚା କଦଳୀ ଗୋଟାକୁ ୧୦ ଟଙ୍କା ରହିଛି । ଏପରିକି ଶାଗ ବିଡା ୧୫ରୁ ୨୦ ଟଙ୍କା ରହିଥିବା ଦେଖିବାକୁ ମିଳିଛି।
ଗତ କିଛି ଦିନ ତଳେ ପରିବା ଦର ଯାହା ଥିଲା କାର୍ତ୍ତିକରେ ପ୍ରାୟ ଦୁଇ ଗୁଣା ହୋଇଛି । କାର୍ତ୍ତିକରେ ଆମିଷ ଖିଆ ବନ୍ଦ ଥିବାରୁ ପରିବା ଦର ବାଧୁଛି, ଆବଶ୍ୟକ ଠାରୁ କମ୍ ପରିମାଣରେ ନେଇ କାମ ଚଳାଇବାକୁ ପଡୁଛି ବୋଲି କିଛି ଗ୍ରାହକ କହିଛନ୍ତି । ଗରିବ ପରିବାରର ହାଣ୍ଡିଶାଳରେ ସତେଯେମିତି ବଜ୍ରପ୍ରହାର ପଡିଛି। ଅନ୍ୟ ପକ୍ଷରେ ସ୍ଥାନୀୟ ଅଞ୍ଚଳରୁ ଆମଦାନୀ ହେଉଥିବା ପନିପରିବା ବହୁଳ ପରିମାଣରେ ବାହାର ଅଞ୍ଚଳକୁ ରପ୍ତାନି କରାଯାଉଥିବାରୁ ସ୍ଥାନୀୟ ଅଞ୍ଚଳରେ ପରିବା ଦର ବୃଦ୍ଧି ପାଉଛି ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି। ଆଗାମୀ ଦିନରେ ସ୍ଥାନୀୟ ଅଞ୍ଚଳରେ ପରିବା ଆମଦାନୀ ପରେ ଦର କମିବ ବୋଲି ବ୍ୟବସାୟୀ ମାନେ ଆଶା କରିଛନ୍ତି ।
ଅଧିକ ପଢ଼ନ୍ତୁ : ଭାରତୀୟ ବଜାରରେ ବଢୁଛି ସୁନା ଦର