ଭୁବନେଶ୍ୱର: ଦେଖୁ ଦେଖୁ ଅନ୍ଧାର ହୋଇଗଲା ରାଜଧାନୀ । ହଠାତ୍ ବଦଳିଗଲା ପାଗ। ଟ୍ୱିନ୍ ସିଟିରେ ବିଜୁଳି, ଘଡଘଡି ସହ ପ୍ରବଳ ବର୍ଷା । ଏହିଭଳି ସ୍ଥିତି ଆଗାମୀ ତିନି ଘଣ୍ଟା ପର୍ଯ୍ୟନ୍ତ ରହିବ। ବର୍ଷା ପାଇଁ ଯାତାୟତ ବାଧାପ୍ରାପ୍ତ ହେଉଛି। ପାଣିପାଗ ବିଭାଗ ଯାହା ପୂର୍ବନୁମାନ ଅନୁସାରେ ଖୋର୍ଦ୍ଧା, କଟକ ଓ ଢେଙ୍କାନାଳକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।
ଆଜି ପାଇଁ ୧୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହିସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ପବନ ସମ୍ଭାବନା ରହିଛି । ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକରେ କାଳବୈଶାଖୀର ବିଶେଷ ପ୍ରଭାବ ଦେଖିବାକୁ ମିଳିବ । ବାଲେଶ୍ୱର ଏବଂ ମୟୂରଭଞ୍ଜ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ଏବଂ କୁଆପଥର ବର୍ଷା ହୋଇପାରେ । କିଛି ସ୍ଥାନରେ ୫୦ରୁ ୬୦ କିମି ବେଗରେ ପବନ ବହିପାରେ । ସେହିପରି ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି।
ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ କାଳବୈଶାଖୀ ପ୍ରଭାବ ଲାଗି ରହିବ । ୨୦ ତାରିଖ ପରେ ପାଗରେ ପରିବର୍ତ୍ତନ ଆସିବ ଏବଂ ତାତି ବଢିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି । ପଶ୍ଚିମ ଓଡ଼ିଶାରେ ସର୍ବୋଚ୍ଚ ତାପମାତ୍ରା ପୁଣିଥରେ ୪୦ ଡିଗ୍ରୀ ଡେଇଁବା ନେଇ ଆକନଳ କରାଯାଇଛି ।